ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର ଦିନ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି) ସିଷ୍ଟମରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଉଡାଣ ବାଧାପ୍ରାପ୍ତ ହୋଇଥିଲା। ଯାହା ଫଳରେ ଅନେକ ବିମାନ ଉଡାଣ ୧ ଘଣ୍ଟାରୁ ଅଧିକ ସମୟ ବିଳମ୍ବ ହୋଇଥିଲା। ତେବେ ୧୦୦ରୁ ଅଧିକ ବିମାନ ଉଡାଣ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।
ଏୟାର ଇଣ୍ଡିଆ, ସ୍ପାଇସଜେଟ୍ ଏବଂ ଇଣ୍ଡିଗୋ ଏହି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଯାତ୍ରୀଙ୍କ ପାଇଁ ପରାମର୍ଶ ଜାରି କରିଛନ୍ତି। ଦେଶର ସବୁଠାରୁ ବ୍ୟସ୍ତବହୁଳ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରତିଦିନ ୧୫୦୦ରୁ ଅଧିକ ବିମାନ ଉଡାଣ କରିଥାଏ।
ତେବେ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ସୂଚନା ଦେଇଛି ଯେ ବିମାନ ସେବା ଖୁବ୍ ଶୀଘ୍ର ସ୍ୱାଭାବିକ ହେବ। ଏହି ସମସ୍ୟା ଯୋଗୁ ବିମାନ ଉଡାଣ ଏବଂ ଅବତରଣ ଉଭୟକୁ ପ୍ରଭାବିତ କରିଥିଲା। ଯାହା ଫଳରେ ବୋର୍ଡିଂ ଗେଟରେ ଖୁବ୍ ଭିଡ଼ ଦେଖାଯାଇଥିଲା। ତେବେ ଏନେଇ ବିମାନ କମ୍ପାନୀଗୁଡ଼ିକ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ଅପଡେଟ୍ ପ୍ରଦାନ କରାଯାଇନାହିଁ।
Comments are closed.