Latest Odisha News

BREAKING NEWS

ସାଇ ଇଣ୍ଟର ନ୍ୟାସନାଲ ଚତୁର୍ଥ ସ୍ମାରକୀ ୨୦୨୫ ଅନୁଷ୍ଠିତ

ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରତିଷ୍ଠାତା ସ୍ୱର୍ଗତ ଡକ୍ଟର ବିଜୟ କୁମାର ସାହୁଙ୍କ ସ୍ମୃତିରେ ଚତୁର୍ଥ ସାଇ ଇଣ୍ଟରନ୍ୟାସନାଲ ସ୍ମାରକୀ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରକୃତ ଶିକ୍ଷା, ଜ୍ଞାନ ବୃଦ୍ଧି ଉପରେ ଆଲୋକପାତ କରିଥିଲେ । ଜୀବନ କେବଳ ନିଜେ ଅର୍ଜନ କରିଥିବା ସଫଳତାକୁ ମପାଯାଏ ନାହିଁ ବରଂ ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କର ସଫଳତା ଦ୍ୱାରା ହିଁ ମପାଯାଏ ବୋଲି ସେ କହିଥିଲେ । ଡକ୍ଟର ବିଜୟ କୁମାର ସାହୁଙ୍କ ଜୀବନ କିପରି ଥିଲା ସେ ବାବଦରେ ସେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇଥିଲେ । ବିଜୟ କୁମାର ସାହୁ ସବୁବେଳେ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିଲେ । ଶିକ୍ଷାର ବିକାଶ ହିଁ ସୁନ୍ଦର ଭାରତ ଗଠନ କରିପାରିବ । ଶିକ୍ଷା ମାଧ୍ୟମରେ ଉତ୍ତମ ଚରିତ୍ର ସହିତ ଜୀବନରେ ଏକ ଉଦ୍ଦେଶ୍ୟମୂଳକ ଭାବନା ଗଠନ କରିହୁଏ ବୋଲି ସେ କହିଥିଲେ ।

ଆୟୋଜିତ ଏହି ଉତ୍ସବରେ କଫି ଟେବୁଲ ବୁକ ଉନ୍ମୋଚିତ ହୋଇଥିଲା । ଏହି ସ୍ମାରକୀ ହେଉଛି ପ୍ରତିଷ୍ଠାତା ବିଜୟଙ୍କ ସ୍ୱପ୍ନର ଏକ ବାର୍ଷିକ ଉତ୍ସବ ବୋଲି ସାଇ ଇଣ୍ଟର ନ୍ୟାସନାଲ ଏଜୁକେସନ ଗ୍ରୁପର ଚେୟାର ମ୍ୟାନ ଶିଳ୍ପୀ ସାହୁ କହିଛନ୍ତି । ଶିକ୍ଷା କ୍ଷେତ୍ରରେ ସେ ଦେଖିଥିବା ଚିରନ୍ତନ ସ୍ୱପ୍ନକୁ ଆହୁରି ବ୍ୟାପକ କରିବା ପାଇଁ ଆମେ ସମସ୍ତେ ପ୍ରତିଶୃତିବଦ୍ଧ ବୋଲି କୁହାଯାଇଥିଲା ।

ସଙ୍ଗୀତ ଶିକ୍ଷକ ହିମାଂଶୁ ଶେଖର ସ୍ୱାଇଁଙ୍କ ନେତୃତ୍ୱରେ ଏକ ଉଚ୍ଚକୋଟୀର ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆୟୋଜିତ ଉତ୍ସବରେ ସ୍କୁଲର ପ୍ରିନ୍ସିପାଲ ନୀଳକଣ୍ଠ ପାଣିଗ୍ରାହୀ, ସେକେଣ୍ଡାରୀ ପ୍ରିନ୍ସିପାଲ ପ୍ରକାଶ ଚନ୍ଦ୍ର ସାହୁ, ଜୁନିୟର ପ୍ରିନ୍ସିପାଲ ରଶ୍ମି ପାଣ୍ଡେ, ହେଡ ମାଷ୍ଟର ଅମିତାଭ ଅଗ୍ନିହୋତ୍ରୀ ଉପସ୍ଥିତ ଥିଲେ ।

Comments are closed.