ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାର୍ବଜନୀନ ଶାସନ ଓ ଜନସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ଭୁଟାନ ପ୍ରଧାନମନ୍ତ୍ରୀ ଛେରିଂ ଟୋବଗେ ଏକ ଅତ୍ୟନ୍ତ ଆବେଗପୂର୍ଣ୍ଣ ବାର୍ତ୍ତା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ଏକ ବାର୍ତ୍ତା ସେୟାର କରି ଟୋବଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱକୁ ଭୂୟସୀ ପ୍ରଶଂସା କରିବା ସହ ତାଙ୍କୁ “ବିଷ୍ଣୁଙ୍କ ଅବତାର” ବୋଲି ଅଭିହିତ କରିଛନ୍ତି।
ଟୋବଗେ ୨୦୧୯ ମସିହାରେ ନୂଆଦିଲ୍ଲୀରେ ମୋଦୀଙ୍କ ସହ ହୋଇଥିବା ଏକ ସାକ୍ଷାତକାରକୁ ମନେ ପକାଇ ଲେଖିଛନ୍ତି, “ସେତେବେଳେ ମୁଁ ପ୍ରଧାନମନ୍ତ୍ରୀ କିମ୍ବା ସାଂସଦ ନଥିଲି, ମାତ୍ର ମୋଦୀଜୀ ମୋତେ ଜଣେ ବଡ଼ ଭାଇ ଭଳି ସ୍ନେହ ଆଦର ଦେଇଥିଲେ। ମୁଁ ତାଙ୍କୁ କହିଥିଲି ଯେ ମୁଁ ତାଙ୍କ ଭିତରେ ଭଗବାନ ବିଷ୍ଣୁଙ୍କର ଏକ ଅବତାର ଦେଖୁଛି।” ପରବର୍ତ୍ତୀ ସମୟରେ ନିଜ ବକ୍ତବ୍ୟ ସମ୍ପର୍କରେ ଚିନ୍ତା କରି ସେ ଅନୁଭବ କରିଥିଲେ ଯେ ଏହି ଆଖ୍ୟା ସମ୍ପୂର୍ଣ୍ଣ ଯଥାର୍ଥ। ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ୧୩ ବର୍ଷ ଏବଂ ପରବର୍ତ୍ତୀ ସମୟରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କ କାର୍ଯ୍ୟଦକ୍ଷତା ଓ ଦୂରଦୃଷ୍ଟି ତାଙ୍କୁ ଜଣେ ‘ଜ୍ଞାନୀ ଓ ଦିବ୍ୟ ଶାସକ’ର ପରିଚୟ ଦେଇଛି।
ଟୋବଗେ ଆହୁରି ମଧ୍ୟ କହିଛନ୍ତି ଯେ, ବିଷ୍ଣୁଙ୍କ ଶେଷ ଅବତାର ‘କଲ୍କି’ ଯେପରି ଅଧର୍ମ ନାଶ କରି ଧର୍ମ ଓ ନବଜାଗରଣର ପ୍ରତିଷ୍ଠା କରନ୍ତି, ମୋଦୀଙ୍କ ନେତୃତ୍ୱରେ ଭାରତ ସେହିପରି ଏକ ଶକ୍ତିଶାଳୀ ଦିଗକୁ ଆଗେଇ ଚାଲିଛି। ‘ବିକଶିତ ଭାରତ ୨୦୪୭’ର ସଂକଳ୍ପ ଏବଂ ‘ସବକା ବିକାଶ’ ଭଳି ନୀତି ମାଧ୍ୟମରେ ସେ ପ୍ରତ୍ୟେକ ଭାରତୀୟଙ୍କ ମନରେ ନିଜ ଦେଶ ପ୍ରତି ଆତ୍ମବିଶ୍ୱାସ ଜାଗ୍ରତ କରିଛନ୍ତି।
ବୁଦ୍ଧଧର୍ମର ‘ରିଗସୁମ ଗୋନପୋ’ (ଜ୍ଞାନ, କରୁଣା ଓ ସାହସ) ସହ ମୋଦୀଙ୍କ ବ୍ୟକ୍ତିତ୍ୱକୁ ତୁଳନା କରି ଟୋବଗେ କହିଛନ୍ତି ଯେ, ଭାରତର ବିକାଶ ଭୁଟାନର ବିକାଶ ସହ ଜଡ଼ିତ। ଭାରତ ଫର୍ ଭୁଟାନ୍ ନୀତି ମାଧ୍ୟମରେ ଦୁଇ ଦେଶର ବନ୍ଧୁତା ଅଧିକ ସୁଦୃଢ଼ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭୁଟାନର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଅର୍ଡର ଅଫ୍ ଦି ଡ୍ରୁକ୍ ଗ୍ୟାଲପୋ’ରେ ସମ୍ମାନିତ କରାଯାଇଥିବା କଥା ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

