ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଡ. ସୌମ୍ୟା ସ୍ୱାମୀନାଥନ
ମିଶନ ଶକ୍ତି ଓ ମିଲେଟ୍ ମିଶନ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କଲେ
ଭୁବନେଶ୍ୱର: ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା ଡ. ସୌମ୍ୟା ସ୍ୱାମୀନାଥନ ନବୀନ ନିବାସରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
ଏହି ସାକ୍ଷାତ ସମୟରେ ଡ. ସ୍ୱାମୀନାଥନ ଓଡିଶାରେ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଶେଷ କରି ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ସଫଳ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ। ସେହିପରି ମିଲେଟ୍ ମିଶନ ଲୋକପ୍ରିୟ ହେବା ସହିତ ଜନଜାତି ବର୍ଗର ଆର୍ଥୀକ ବିକାଶରେ ସହାୟକ ହୋଇଛି। ମିଶନ ଶକ୍ତି କାର୍ଯ୍ୟକ୍ରମ ଓଡିଶାର ମା’ ମାନଙ୍କୁ ସଶକ୍ତ କରିବା ସହିତ ଗ୍ରାମ୍ୟ ଅର୍ଥନୀତିକୁ ସୁଦୃଢ କରିବାରେ ମଧ୍ୟ ପ୍ରମୁଖ ଭୂମିକା ନେଇଛି ବୋଲି ଉଚ୍ଚ ପ୍ରଶଂସା କରିଥିଲେ। ଉଭୟଙ୍କ ମଧ୍ୟରେ ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡେସନର କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
ସୂଚନାଯୋଗ୍ୟ ଯେ ଡ. ସୌମ୍ୟା ସ୍ୱାମୀନାଥନ ପୂର୍ବରୁ ଭାରତୀୟ ଭେଷଜ ଗବେଷଣା ପ୍ରତିଷ୍ଠାନର ମହା ନିର୍ଦ୍ଦେଶିକା ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଭାବରେ କାର୍ଯ୍ୟ କରିଛନ୍ତି। ବିଖ୍ୟାତ ବୈଜ୍ଞାନିକ ତଥା ସବୁଜ ବିପ୍ଳବର ଜନକ ସ୍ୱର୍ଗତ ଡ. ଏମ.ଏସ. ସ୍ୱାମୀନାଥନଙ୍କ କନ୍ୟା ହେଉଛନ୍ତି ସୌମ୍ୟା ସ୍ୱାମୀନାଥନ।
Comments are closed.