Latest Odisha News

ନୂଆପଡ଼ା ଉପନିର୍ବାଚନ ବିଜୟ ଏକ ଐତିହାସିକ ମୁହୂର୍ତ୍ତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ବିଜେପିର ବିଜୟ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆପଡ଼ା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଜନସାଧାରଣଙ୍କୁ କୃତଜ୍ଞତା ଓ ନୂଆପଡ଼ାର ନବନିର୍ବାଚିତ ବିଧାୟକ ଜୟ ଢୋଲକିଆଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ, ଆଜି ଏକ ଐତିହାସିକ ଦିନ, ଆଉ ଏକ ଐତିହାସିକ ମୁହୂର୍ତ୍ତ । ନୂଆପଡ଼ା ଉପନିର୍ବାଚନରେ ଅଂଶଗ୍ରହଣ କରି ଯେଉଁମାନେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ବିପୁଳ ସମର୍ଥନ ଜଣାଇଛନ୍ତି, ସେହିମାନଙ୍କୁ ଧନ୍ୟବାଦ ଜଣାଉଛି ।

ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଅତ୍ୟନ୍ତ ଉଚ୍ଚକୋଟୀର ପ୍ରଦର୍ଶନ ଏବଂ ବିଜୟ ହାସଲ ଓଡ଼ିଶାର ରାଜନୈତିକ ଚିତ୍ରପଟ୍ଟରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । ଏହି ବିଜୟ ଆମ ସରକାରଙ୍କ ନୀତି, ଆଦର୍ଶ ତଥା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ପ୍ରତି ଜନସାଧାରଣଙ୍କ ସମ୍ପୂର୍ଣ୍ଣ ଆସ୍ଥା ଓ ବିଶ୍ୱାସକୁ ପ୍ରମାଣିତ କରୁଛି ।

ଏହା ସହ, ଏହି ବିଶାଳ ବିଜୟ ପାଇଁ ମୁଁ ଆମ ଦଳର ମାନ୍ୟବର ରାଜ୍ୟ ସଭାପତି ମନମୋହନ ସାମଲ, ମାନ୍ୟବର ମନ୍ତ୍ରୀ, ସାଂସଦ ଓ ବିଧାୟକଗଣ ତଥା ଦଳର ଦେବଦୁର୍ଲଭ କାର୍ଯ୍ୟକର୍ତ୍ତାମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି ।

ଆଜି ଆମ ଦେଶରେ ମୋଦୀଜୀଙ୍କ ନେତୃତ୍ୱ ହେଉଛି ବିକାଶର ଏକମାତ୍ର ପରିଭାଷା । ତାଙ୍କ ଆଦର୍ଶ ଓ ମାର୍ଗଦର୍ଶନରେ ଆମ ସରକାର ଗତ ପ୍ରାୟ ଦେଢ଼ ବର୍ଷ ମଧ୍ୟରେ ଓଡ଼ିଶାବାସୀଙ୍କ କଲ୍ୟାଣ ଏବଂ ରାଜ୍ୟର ବିକାଶ ପାଇଁ ଦିନରାତି କାମ କରି ଚାଲିଛି । ନୂଆପଡ଼ାବାସୀଙ୍କ ସମର୍ଥନ ଆମକୁ ନୂଆ ପ୍ରେରଣା ଓ ଶକ୍ତି ଦେଇଛି । ଆମେ ନୂଆପଡ଼ାର ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଏବଂ ଆପଣମାନଙ୍କ ସହଯୋଗରେ ଆମେ ସମୃଦ୍ଧ ନୂଆପଡ଼ା ଓ ସମୃଦ୍ଧ ଓଡ଼ିଶା ଗଠନରେ ନିଶ୍ଚୟ ସଫଳ ହେବା ।

Comments are closed.