Latest Odisha News

BREAKING NEWS

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ସ୍ୱତନ୍ତ୍ର ୱେବ୍‌ସାଇଟ୍‌ ଉନ୍ମୋଚନ;ୟୁଜର ସହଜରେ ଜାଣିବେ ବ୍ୟାକରଣ

ଭୁବନେଶ୍ୱର: ଓଡ଼ିଆ ଭାଷାର ମାନକୀକରଣ ବହୁ ଆବଶ୍ୟକ। ଏହା ସମୟର ମଧ୍ୟ ଆବଶ୍ୟକତା । କାରଣ ଏବେ ଡିଜିଟାଲ୍ ଯୁଗରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ଗୁରୁତ୍ୱ ଦେଇ ଏଦିଗରେ ଉଦ୍ୟମ ହେବା ଆବଶ୍ୟକ ବୋଲି ଓଡ଼ିଆ ବିଭବ ୱେବ୍‌ସାଇଟ୍‌ର ଅଷ୍ଟମବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ଅତିଥିମାନେ ମତ ଦେଇଥିଲେ । ରବିବାର ସଂଧ୍ୟାରେ ଭୁବନେଶ୍ୱର ସ୍ଥିତ ବୁଦ୍ଧମନ୍ଦିର ପ୍ରେକ୍ଷାଳୟରେ ଭାଷାକୋଷ, ଅଭିଧାନ ଓ ଓଡ଼ିଆ ଭାଷାର ମାନକୀକରଣ ସଂପର୍କରେ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା।

ଏହି ଅବସରରେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ସ୍ୱତନ୍ତ୍ର ୱେବ୍‌ସାଇଟ୍‌ (https://bhashakosha.online) ଉନ୍ମୋଚନ କରାଯାଇଥିଲା। ଏହି ୱେବ୍‌ସାଇଟ୍‌ରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଏହି କୋଷଗ୍ରନ୍ଥକୁ ଅଧିକ ବ୍ୟବହାରଯୋଗ୍ୟ କରାଯାଇଛି। ଶବ୍ଦ,ବ୍ୟାକରଣ ଆଦି ମଧ୍ୟ ସହଜରେ ଏବଂ ବିସ୍ତୃତ ଭାବରେ ବ୍ୟବହାରକାରୀ ଜାଣିପାରିବେ ବୋଲି ଏହି ୱେବ୍‌ସାଇଟ୍‌ର ନିର୍ମାତା ସ୍ୱୀଡେନ୍‌ରେ ରହୁଥିବା ଓଡ଼ିଆ ଗବେଷକ ସାନୁଜିତ୍ ପୁହାଣ କହିଛନ୍ତି।

ଏହି ସଭାରେ ଅନ୍ୟତମ ବକ୍ତଭାବେ ଯୋଗ ଦେଇଥିବା ବିଶିଷ୍ଟ ଅଭିଧାନକାର ଡ. ନଟବର ଶତପଥୀ ଏକ ମାନକ ଅଭିଧାନର ରୂପରେଖ ସମ୍ପର୍କରେ ଆଲୋକପାତ କରିଥିଲେ। ସଭାର ଅନ୍ୟତମ ଆଲୋଚକ ଭାବେ ବିଶିଷ୍ଟ ଗବେଷକ ପ୍ରଫେସର ସନ୍ତୋଷ କୁମାର ରଥ ଯୋଗ ଦେଇ ଓଡ଼ିଆ ଭାଷାର ମାନକୀକରଣ ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ଭାଷାକୁ ନେଇ ଲେଖିଲା ବେଳେ ସୃଷ୍ଟି ହେଉଥିବା ଦ୍ୱନ୍ଦ୍ୱକୁ ନେଇ ସେ ଉଦାହରଣ ସହ ଆଲୋଚନା କରିଥିଲେ ଏବଂ ମାନକୀକରଣର ଗୁରୁତ୍ୱ ବିଷୟରେ ନିଜ ମତ ଉପସ୍ଥାପନ କରିଥିଲେ। ସଭା ଆରମ୍ଭରେ ଶ୍ରୀନିକା ସନୋଜା ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ ଏବଂ ଓଡ଼ିଆ ବିଭବ ଅନ୍ୟତମ ସ୍ରଷ୍ଟା ପୁଷ୍ପଶ୍ରୀ ପଟ୍ଟନାୟକ ସଭା ପରିଚାଳନା କରିଥିଲେ। ଏହି ସଭାରେ ବହୁ ସଂଖ୍ୟାରେ ଗବେଷକ, ଭାଷାପ୍ରେମୀ, ବୁଦ୍ଧିଜୀବୀ ଯୋଗଦେଇଥିଲେ।

 

Comments are closed.