ନୂଆଦିଲ୍ଲୀ: କୁନି ପକ୍ଷୀଟିର ବଡ କାମ ଏବେ ବୈଜ୍ଞାନିକମାନଙ୍କୁ ଚକିତ କରିଛି । ବନ୍ୟଜୀବନ ବୈଜ୍ଞାନିକଙ୍କ ଦ୍ୱାରା ଟ୍ୟାଗ୍ ହୋଇଥିବା ତିନୋଟି ଆମୁର ବାଜପକ୍ଷୀ ମଧ୍ୟରୁ ଗୋଟିଏ ଭାରତରୁ ଉଡ଼ି ସୋମାଲିଆରେ ପହଞ୍ଚିଛି, ଯାହା ପ୍ରାୟ ପାଞ୍ଚ ଦିନ ମଧ୍ୟରେ ୫ ହଜାର କିଲୋମିଟର ବ୍ୟାପି ଏକ ପ୍ରବାସୀ ଯାତ୍ରା ସମାପ୍ତ କରିଛି । ପ୍ରତିଦିନ ପ୍ରାୟ ୧୦୦୦ କିଲୋମିଟର ମାରାଥନ ଉଡ଼ାଣ କରିଥିଲା ଏହି ପକ୍ଷୀ ।
ତେବେ ସବୁଠୁ ଦ୍ରୁତ ବେଗରେ ଉଡ଼ିପାରୁଥିବା ଶିକାରୀ ପକ୍ଷୀଙ୍କ ମଧ୍ୟରୁ ଗୋଟିଏ ହେଉଛି ଫାଲକନ ପ୍ରଜାତି ବା ବାଜପକ୍ଷୀ। ଏହି ପ୍ରଜାତିର ପକ୍ଷୀଙ୍କ ଆକାର ଛୋଟ ହୋଇଥିଲେ ବି ଏମାନେ ଖୁବ୍ ଦ୍ରୁତ ବେଗର ଉଡ଼ିପାରନ୍ତି। ଏମିତିକି ମାତ୍ର କିଛି ଘଣ୍ଟା ମଧ୍ୟରେ ହଜାର ହଜାର କିଲୋମିଟର ଅତିକ୍ରମ କରିପାରନ୍ତି। ଯାହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ।
ନିକଟରେ ଏକ ଗବେଷଣାରେ ଫାଲକନ ପରିବାରର ଆମୁର ଫାଲକନ ପ୍ରଜାତି ଉପରେ କରାଯାଇଥିଲା। କିପରି ଏହି ଛୋଟ ପକ୍ଷୀ ଗୋଟିଏ ମହାଦେଶରୁ ଅନ୍ୟ ମହାଦେଶକୁ ଯାତ୍ରା କରିଥାନ୍ତି ? ତାହା ଜାଣିବାକୁ ଏହି ପରୀକ୍ଷା କରାଯାଇଥିଲା। ରିପୋର୍ଟ ଅନୁସାରେ, ଡେରାଡୁନର ୱାଇଲ୍ଡଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (WII)ର ବୈଜ୍ଞାନିକମାନେ ଅଣ୍ଡିରା ଫାଲକନ ଆପାପାଙ୍ଗ, ଦୁଇଟି ମାଈ ଫାଲକନ ଆହୁ ଏବଂ ଆଲାଙ୍ଗ ଭଳି ୩ଟି ଆସୁର ଫାଲକନ ଦେହରେ ସାଟେଲାଇଟ ଟ୍ରାନ୍ସମିଟର ଲଗାଇଥିଲେ। ଯାହାଦ୍ଵାରା ପକ୍ଷୀ ବିଷୟରେ ଗବେଷଣା
କରିହେବ ।
ଏମାନଙ୍କୁ ନଭେମ୍ବର ୧୧ ତାରିଖ ମଙ୍ଗଳବାର ମଣିପୁରର ତାମେଙ୍ଗଲଙ୍ଗ ଜଙ୍ଗଲରୁ ଛଡ଼ାଯାଇଥିଲା। ହେଲେ ମାତ୍ର ଦୁଇ ଦିନରେ ଆପାପଙ୍ଗ ୧୫୦୦ କିଲୋମିଟର ପାର୍ କରି ଓଡ଼ିଶା ପହଞ୍ଚିଥିଲା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତା’ଠାରୁ ମଧ୍ୟ ଆଶ୍ଚର୍ଯ୍ୟକର କଥା ହେଉଛି ବର୍ତ୍ତମାନ ସୁଦ୍ଧା ଆପାପଙ୍ଗ ଓ ଅନ୍ୟ ଦୁଇ ମାଈ ଅମୁର ଫାଲକନ ନିରବଚ୍ଛିନ୍ନ ଭାବରେ ୭୬ ଘଣ୍ଟା ମଧ୍ୟରେ ପ୍ରାୟ ୩୧୦୦ କିଲୋମିଟର ଉଡ଼ାଣ ଭରିସାରିଲେଣି। ବର୍ତ୍ତମାନ ଭାରତ ପାର ହୋଇ, ଗୁଜୁରାଟ ଅତିକ୍ରମ କରି ଏବଂ ଆରବ ସାଗର ପାର ହୋଇ ବାହାରକୁ ଯାଇପାରିଛନ୍ତି। ଯାହା ଅଭିଜ୍ଞ ଟ୍ରାକରମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି।
ଆହୁରି ମଧ୍ୟ ଗବେଷକଙ୍କ ମତରେ ଏହି ପକ୍ଷୀଙ୍କ ପାଇଁ ଏବେ ପ୍ରକୃତ ପରୀକ୍ଷା ଆରମ୍ଭ ହୋଇଛି। କାରଣ ସେମାନେ ବାର୍ଷିକ ମାଇଗ୍ରେସନର ସବୁଠାରୁ ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ଯାହା ଭାରତରୁ ସୋମାଲିଆ ପର୍ଯ୍ୟନ୍ତ ନିରନ୍ତର ୬ ହଜାର କିଲୋମିଟରର ସମୁଦ୍ର ପାର୍ ଯାତ୍ରା। ବିନା ବିଶ୍ରାମ ଏବଂ ଖାଦ୍ୟରେ ସେମାନଙ୍କୁ ଆରବ ସାଗର ପାର୍ କରି ସୋମାଲିଆ ପହଞ୍ଚିବାକୁ ପଡ଼ିବ। କେବଳ କିଛି ପ୍ରବାସୀ ପ୍ରଜାତି ଏତେ ଲମ୍ବା, ନିରବଚ୍ଛିନ୍ନ ଉଡ଼ାଣ କରିପାରନ୍ତି ଏବଂ ଆମୁର ଫାଲକନ୍ ସେମାନଙ୍କ ମଧ୍ୟରୁ ସବୁଠାରୁ ଛୋଟ ।
ତେବେ କହିରଖୁଛୁ, ପ୍ରତିବର୍ଷ ପୂର୍ବ ଏସିଆରୁ ଦକ୍ଷିଣ ଆଫ୍ରିକାକୁ ଯାତ୍ରା କରିଥାନ୍ତି ହଜାର ହଜାର ଆମୁର ଫାଲକନ୍ । ଏହି ଯାତ୍ରା ଖୁବ୍ କଠିନ ହୋଇଥାଏ। ତେବେ ଶୀତ ଋତୁରେ ସୋମାଲିଆକୁ ଯାତ୍ରାର କଠିନ ପର୍ଯ୍ୟାୟ ପୂର୍ବରୁ ଏହି ପକ୍ଷୀମାନେ ମଣିପୁରରେ ଶେଷ ଥର ପାଇଁ ବିଶ୍ରାମ କରିଥାନ୍ତି । ବର୍ତ୍ତମାନ ପୂର୍ବ ଦିଗରୁ ବହୁଥିବା ପବନ ସେମାନଙ୍କ ଗତିକୁ ଆହୁରି ବଢ଼ାଇଦେଇଛି। ଆପାପାଙ୍ଗ ପ୍ରତିଦିନ ହାରାହାରି ୧ ହଜାର କିଲୋମିଟର ବେଗରେ ଗତି କରୁଛି। ଯାହା ତାକୁ ପୃଥିବୀର ସବୁଠୁ ଦ୍ରୁତ ଶିକାରୀ ପକ୍ଷୀ ମଧ୍ୟରେ ଗୋଟିଏ କରିଛି।
ତେବେ ଆମୁର ବାଜପକ୍ଷୀମାନେ ଥରେ ନିରନ୍ତର ଶିକାର ଯୋଗୁଁ ବିପଦରେ ପଡ଼ିଥିଲେ, ଏବଂ ମଣିପୁରର ଗାଁଗୁଡ଼ିକରେ ରହୁଥିବା ଲୋକମାନେ ସେମାନଙ୍କୁ ନିରାପଦ ଆଶ୍ରୟ ଏବଂ ସୁରକ୍ଷା ଦେଇଥିଲେ। ଏହି ରକ୍ଷକମାନେ ବର୍ତ୍ତମାନ ବାଜ ପକ୍ଷୀଙ୍କ ପ୍ରବାସ ଋତୁକୁ ଗର୍ବ ଏବଂ ସହାବସ୍ଥାନର ପ୍ରତୀକ ଭାବରେ ଦେଖନ୍ତି।
Comments are closed.