ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ ଅନମୋଲ ବିଷ୍ଣୋଇକୁ ଆମେରିକାରୁ ଭାରତ ପ୍ରତ୍ୟର୍ପଣ କରାଯାଇଛି। ତାଙ୍କୁ ବୁଧବାର ଦିଲ୍ଲୀର ଆଇଜିଆଇ ବିମାନବନ୍ଦରକୁ ଅଣାଯାଇଥିଲା।
ଅବତରଣ କରିବା ମାତ୍ରେ ଏନଆଇଏ ତାଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ପଟିଆଲା ହାଉସ କୋର୍ଟରେ ଏନଆଇଏ କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ ଏନଆଇଏ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟରକୁ ୧୫ ଦିନିଆ ହେପାଜତରେ ନେବା ପାଇଁ ଅନୁମତି ମାଗିଛି। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇ ବିରୋଧରେ ସାରା ଦେଶରେ ଅତି କମରେ ୧୮ଟି ଅପରାଧିକ ମାମଲା ରହିଛି। ଯେଉଁଥିରେ ପୂର୍ବତନ ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରିବା ଅଭିଯୋଗ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।
ତେବେ ଏହା ପରେ ଦିଲ୍ଲୀ, ମୁମ୍ବାଇ, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନର ପୋଲିସ ତାଙ୍କ ବିରୋଧରେ ଦାୟର ହୋଇଥିବା ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚରେ ଅନମୋଲ ବିରୋଧରେ ଦୁଇଟି ମାମଲା ମଧ୍ୟ ରୁଜୁ ହୋଇଛି। ୨୦୨୩ ମସିହାରେ ସେ ଦୁଇ ବ୍ୟବସାୟୀଙ୍କଠାରୁ କୋଟି କୋଟି ଟଙ୍କା ମୂଲ୍ୟର ବଟି ଦାବି କରିଥିଲା। ପରେ ସେମାନେ ବଟି ଦେବାକୁ ମନା କରିବାରୁ ସେମାନଙ୍କ ଘର ଉପରକୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଥିଲା।
Comments are closed.