Latest Odisha News

BREAKING NEWS

ଓଡ଼ିଶାର ଖୋଲିବ ବିଶ୍ୱର ପ୍ରଥମ କଳାବାଘ ସଫାରୀ, ଖୁବଶୀଘ୍ର ବୁଲିପାରିବେ ପର୍ଯ୍ୟଟକ

ଭୁବନେଶ୍ୱର: ବାରିପଦାରେ ଖୁବ୍ ଶୀଘ୍ର ଖୋଲିବାକୁ ଯାଉଛି କଳାବାଘ ସଫାରୀ । ବହୁ ଦିନର ପ୍ରତୀକ୍ଷା ପରେ ବାରିପଦାର ମଞ୍ଚାବେଡ଼ା ଠାରେ ବିଶ୍ୱର ପ୍ରଥମ କଳା ବାଘ ସଫାରୀ ଖୋଲିବାକୁ ଯାଉଛି। କଳାବାଘ ସଫାରୀ ଖୋଲିବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ(ସିଜେଡଏ)ଙ୍କ ସବୁଜ ସଂକେତ ମିଳି ସାରିଥିବା ବେଳେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ଙ୍କ ଅନୁମତି ମଧ୍ୟ ମିଳିସାରିଥିଲା। ହେଲେ ସୁପ୍ରିମକୋର୍ଟରେ ହୋଇଥିବା ପିଟିସନ୍ ଦୀର୍ଘ ଦିନ ଧରି କଳାବାଘ ସଫାରୀ ଖୋଲିବାରେ କଣ୍ଟା ସାଜିଥିଲା ।

ଗତ ୧୮ ତାରିଖରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ବି ଆର ଗଭାଇ ଏନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଅଣ-ଜଙ୍ଗଲ ଜମି କିମ୍ବା ବଫର ଏରିଆର ଅବନତି ହେଉଥିବା ଜଙ୍ଗଲ ଜମିରେ ବାଘ ସଫାରୀ କରାଯାଇ ପାରିବ । କିନ୍ତୁ ବାଘ ସଫାରୀ ଯୋଗୁଁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉପରେ କୌଣସି ପ୍ରଭାବ ନ ପଡିବ ଦରକାର । କୌଣସି ଅଭୟାରଣ୍ୟର ବଫର ଜୋନରେ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କରାଗଲେ, ପରିବେଶ (ସଂରକ୍ଷଣ) ଆଇନ ୧୯୮୬ର ଇସିଜେଡ ବିଜ୍ଞପ୍ତିକୁ ମାନିବାକୁ ପଡ଼ିବ। ବନ ବିଭାଗର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ କହିବା ମୁତାବକ, ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ପରେ ବାରିପଦାର ମଞ୍ଚାବେଡ଼ାରେ କଳାବାଘ ସଫାରି ଖୋଲିବାକୁ ବାଟ ଫିଟିଛି । କାହିଁକି ନା, ବାରିପଦାର ମଞ୍ଚାବେଡ଼ାରେ ପ୍ରସ୍ତାବିତ କଳାବାଘ ସଫାରୀ ଶିମିଳିପାଳ ଜଙ୍ଗଲର ସୀମାଠାରୁ ୧୦ କିମି ଦୂରରେ ଅବସ୍ଥିତ । ଏହାଦ୍ୱାରା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।

ପୂର୍ବରୁ ମଞ୍ଚାବେଡ଼ା ଠାରେ ୨୦୦ ହେକ୍ଟର ଜମି ଚିହ୍ନଟ ହୋଇ ସାରିଛି । ପାଖାପାଖି ୧୦୦ ହେକ୍ଟରରେ ହେବ ବାଘଙ୍କ ରହଣି ସ୍ଥଳ । ବାକି ୧୦୦ ହେକ୍ଟରରେ ଉଦ୍ଧାରକେନ୍ଦ୍ର, କର୍ମଚାରୀ ଭିତ୍ତିଭୂମି, ପାର୍କିଂ ଓ ପ୍ରାଣୀ ଚିକିତ୍ସାଳୟ କରାଯିବ। ପ୍ରାଥମିକ ଭାବେ ନନ୍ଦନକାନନର ୩ଟି କଳା ବାଘ ଓ ରାଞ୍ଚି ଚିଡ଼ିଆଖାନାରୁ ୨ଟି କଳା ବାଘଙ୍କୁ ଆଣି ଏଠାରେ ଛଡ଼ାଯିବ । ଆସନ୍ତା ୬ ମାସ ମଧ୍ୟରେ ପର୍ଯ୍ୟଟକ କଳାବାଘ ସଫାରୀକୁ ଯାଇ ପାରିବେ ବୋଲି ବନବିଭାଗର ବରିଷ୍ଠ ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି । ଏଭଳି ସଫାରୀ ଓଡ଼ିଶାର ବନ୍ୟପ୍ରାଣୀ ପର୍ଯ୍ୟଟନ କ୍ଷେତ୍ରକୁ ନୂଆ ଉଚ୍ଚତାରେ ପହଞ୍ଚାଇବାକୁ ଯାଉଛି ।

Comments are closed.