Latest Odisha News

BREAKING NEWS

ଯାଜପୁରରୁ ସିକନ୍ଦର ଗିରଫ… ବାଂଲାଦେଶୀଙ୍କୁ ରଖିଥିଲା ବସ୍ତିରେ

ଜଗତସିଂହପୁର:ଜଗତସିଂହପୁରରେ ବାଂଲାଦେଶୀ ଅନୁପ୍ରବେଶ ଘଟଣାର ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲମ ଗିରଫ । ବେହରାମପୁର ବସ୍ତିରେ ବାଂଲାଦେଶୀକୁ ରଖାଇଥିଲେ ଅଭିଯୁକ୍ତ ସିକନ୍ଦର ଆଲମ। ବାଂଲାଦେଶୀ ଚିହ୍ନଟ ନେଇ ପୁଲିସର ଚଢ଼ାଉ ପରେ ଫେରାର ହୋଇଯାଇଥିଲା ସିକନ୍ଦର । ଯାଜପୁରରୁ ଗିରଫ କଲା ଜଗତସିଂହପୁର ପୋଲିସ । ୬ ଦିନ ହେଲା ଫେରାର ଥିଲା ସିକନ୍ଦର । ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଜାଲ ବିଛାଇ ଥିଲା ଜଗତସିଂହପୁର ପୋଲିସ ।

ସିକନ୍ଦରଠାରୁ ପାସପୋର୍ଟ ଓ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ଏହାସହ ଏକ ଅଜ୍ଞାତ ସ୍ଥାନରେ ରଖି ପୁଲିସ ପଚରାଉଚରା କରୁଛି ।

ଏଥିସହ ସିକନ୍ଦରର ଭାଇ ଅବଦୁଲକୁ ଖୋର୍ଦ୍ଧାରୁ ଗିରଫ କଲା ଜଗତସିଂହପୁର ପୋଲିସ । ସିକନ୍ଦର ଆଲାମର ପୁଅ ଓ ଅନ୍ୟ ଜଣେ ସହଯୋଗୀ ଅଟକ ଥିବା ସୂଚନା ରହିଛି ।

ବେହେରାମପୁର ବସ୍ତିରେ ସରକାରୀ ଜାଗାରେ ବେଆଇନ ଘର ତିଆରି କରି ବାଂଲାଦେଶୀଙ୍କୁ ରଖିଥିଲା ସିକନ୍ଦର ।

ସୂଚନା ଅନୁସାରେ, ଗତ ୧୬ ତାରିଖ ସନ୍ଧ୍ୟାରେ ବେହେରାମପୁର ବସ୍ତିରେ ଚଢ଼ାଉ କରିଥିଲା ପୋଲିସ । ସନ୍ଦିଗ୍ଧ ବାଂଲାଦେଶୀ ରହୁଥିବା ସନ୍ଦେହରେ ହୋଇଥିଲା ଚଢ଼ାଉ । ଅତିରିକ୍ତ ଏସ୍‌ପି, ତରିକୁନ୍ଦ ବିଟ୍‌ ହାଉସ୍ ଅଧିକାରୀ ଓ ମହିଳା କନଷ୍ଟେବଳ ସମେତ ୫ଜଣ ସାମିଲ ହୋଇଥିଲେ । ଚଢ଼ାଉ କରିବା ମାତ୍ରେ ସିକନ୍ଦରର ଦୁଇ ଭଉଣୀ ପୋଲିସ୍‌କୁ କରିଥିଲେ ଆକ୍ରମଣ । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବାରୁ ଅଧିକ ଫୋର୍ସ ମଗାଯାଇଥିଲା । ଅଧିକ ଫୋର୍ସ ଓ ଅଧିକାରୀ ପହଞ୍ଚିବାବେଳକୁ ଦେଢ଼ଘଣ୍ଟା ବିତି ସାରିଥିଲା । ଆଉ ଏହି ସମୟ ଭିତରେ ଚମ୍ପଟ ମାରିଥିଲା ସିକନ୍ଦର । ଯିବାବେଳେ ସାଙ୍ଗରେ ସିସିଟିଭି ହାର୍ଡ ଡିସ୍କ ଧରି ମାରିଥିଲା ଚମ୍ପଟ ।

ଏହି ଘଟଣା ପରେ ଜଗତସିଂହପୁର ସମେତ କେନ୍ଦ୍ରାପଡ଼ା , ଭଦ୍ରକ , ଯାଜପୁର , ବାଲେଶ୍ବର ଜିଲାରେ ବାଂଲାଦେଶୀ ଯାଞ୍ଚ କରୁଛି ପୁଲିସ ।

Comments are closed.