Latest Odisha News

ଅନଲାଇନ୍ ଠକେଇ ଧରିଦେବ AI, ଏହି ଆପ୍ କରିଦିଅନ୍ତୁ ଇନଷ୍ଟଲ ତା’ପରେ…

ନୂଆଦିଲ୍ଲୀ: ବର୍ତ୍ତମାନର ଡିଜିଟାଲ ଦୁନିଆରେ ପ୍ରତ୍ୟେକ ବ୍ୟକ୍ତି ଅନଲାଇନ୍ ଠକେଇ, ସ୍କାମ୍ ଓ ସାଇବର ଆକ୍ରମଣର ଶିକାର ହେବାର ବିପଦ ରହିଛି। ଏହାକୁ ଦୃଷ୍ଟିରେ ରଖି ଗୁଗଲ୍ ନିଜର ନୂଆ AI ଭିତ୍ତିକ ସୁରକ୍ଷା ଉଦ୍ୟୋଗ ଆରମ୍ଭ କରିଛି। କମ୍ପାନୀ କହୁଛି ଯେ, AI ବ୍ୟବହାର କରି ଉପଭୋକ୍ତାମାନଙ୍କୁ ଅନଲାଇନ୍ କ୍ଷତିରୁ ବଞ୍ଚାଇବା, ଆର୍ଥିକ ଓ ଅନ୍ୟାନ୍ୟ ଆପ୍‌ର ସୁରକ୍ଷା ବଢ଼ାଇବା ଏବଂ ନ୍ୟାୟପୂର୍ଣ୍ଣ ଓ ବିଶ୍ୱାସଯୋଗ୍ୟ AI ମଡେଲ୍ ତିଆରି କରାଯାଉଛି। ଭାରତ ଭଳି ବିଶାଳ ଡିଜିଟାଲ ବଜାରରେ ଏହା ଆହୁରି ଗୁରୁତ୍ୱପୂର୍ଣ୍ଣ।

ନୂଆ ଫିଚର୍ ଯେମିତି ସ୍କାମ୍ ଡିଟେକ୍ସନ୍, SynthID ଏବଂ Enhanced Phone Number Verification (ePNV) ଦ୍ୱାରା ଉପଭୋକ୍ତାମାନଙ୍କୁ ଅନଲାଇନ୍‌ରେ ସୁରକ୍ଷିତ ରଖିବାରେ ବଡ଼ ସହାୟକ ହେବ।
ରିଏଲ୍-ଟାଇମ୍ କଲ୍ ସ୍କାମ୍ ଡିଟେକ୍ସନ୍

ଗୁଗୁଲ୍ Pixel ଫୋନ୍‌ ପାଇଁ ନୂଆ ‘Scam Detection’ ଫିଚର୍ ଆଣିଛି। ଏହା କଲ୍ ଚାଲିଥିବା ସମୟରେ ତୁରନ୍ତ ଚିହ୍ନଟ କରିପାରୁଛି ଯେ କଲ୍‌ଟି ସ୍କାମ୍ କି ନୁହେଁ। ଏହା ପୁରାପୁରି ଫୋନ୍‌ରେ ହିଁ କାମ କରେ, ଗୁଗୁଲ୍‌କୁ କୌଣସି ଅଡିଓ କିମ୍ବା କଲ୍ ତଥ୍ୟ ପଠାଯାଏ ନାହିଁ। ଏହି ଫିଚର୍ ଡିଫଲ୍ଟରେ ବନ୍ଦ ରହୁଛି, ଉପଭୋକ୍ତାଙ୍କୁ ନିଜେ ଅନ୍ କରିବାକୁ ପଡ଼େ। ଏହା କେବଳ ଅଜଣା ନମ୍ବରରୁ ଆସୁଥିବା କଲ୍‌କୁ ଯାଞ୍ଚ କରେ ଏବଂ ସନ୍ଦେହଜନକ ସ୍କାମ୍ ହେଲେ କଲ୍‌ରେ ‘ବିପ୍’ ଧ୍ୱନି କରି ସତର୍କ କରାଏ।

ଆର୍ଥିକ ଆପ୍‌ର ସୁରକ୍ଷା
ଗୁଗୁଲ୍ ଭାରତରେ Google Pay, Paytm ଓ Navi ଭଳି ଆପ୍‌ ସହ ମିଶି ସ୍କ୍ରିନ୍ ଶେୟାରିଂ ସ୍କାମ୍‌କୁ ରୋକିବା ପାଇଁ କାମ କରୁଛି। ବର୍ତ୍ତମାନ ଯଦି କୌଣସି ଉପଭୋକ୍ତା ଅଜଣା ନମ୍ବର ସହ କଲ୍‌ରେ ଥାଇ ସ୍କ୍ରିନ୍ ଶେୟାର କରୁଥିବା ବେଳେ ଏହି ଆପ୍‌ଗୁଡ଼ିକ ଖୋଲନ୍ତି, ତା’ପରେ ଫୋନ୍ ତୁରନ୍ତ ଚେତାବନୀ ଦେବ। ଗୋଟିଏ ଟ୍ୟାପ୍‌ରେ କଲ୍ ଓ ସ୍କ୍ରିନ୍ ଶେୟାରିଂ ବନ୍ଦ ହୋଇଯିବ, ଯାହା ଠକେଇର ବିପଦକୁ ଅନେକ ଅଂଶରେ କମାଇ ଦେବ।
ଏହା ବ୍ୟତୀତ Google Play Protect ଭାରତରେ ୧୧୫ ମିଲିୟନରୁ ଅଧିକ ସାଇଡ-ଲୋଡେଡ୍ ଆପ୍‌କୁ ଅଟକାଇଛି, ଯାହା ଠକେଇ ପାଇଁ ବ୍ୟବହାର ହେଉଥିଲା। Google Pay ପ୍ରତି ସପ୍ତାହରେ ୧୦ ଲକ୍ଷରୁ ଅଧିକ ଚେତାବନୀ ଦେଖାଉଛି, ଯାହା ଉପଭୋକ୍ତାଙ୍କ ଲେନଦେନକୁ ସୁରକ୍ଷିତ ରଖୁଛି।

ସିଷ୍ଟମ୍-ଲେଭଲ୍ ସୁରକ୍ଷା: ePNV
ଗୁଗୁଲ୍ Enhanced Phone Number Verification (ePNV) ଫିଚର୍ ମଧ୍ୟ ଆଣିଛି। ଏହା ପୁରୁଣା SMS OTPର ସ୍ଥାନ ନେଉଛି ଏବଂ SIM ଭିତ୍ତିକ ସୁରକ୍ଷିତ ଯାଞ୍ଚ କରୁଛି। ଅର୍ଥାତ୍ ସାଇନ-ଇନ୍ ସୁରକ୍ଷା ଏବେ ଆଗଠାରୁ ଅଧିକ ମଜବୁତ୍ ହୋଇଗଲା।

SynthID: AI-ଜେନେରେଟେଡ୍ କଣ୍ଟେଣ୍ଟ ଚିହ୍ନଟ
ଗୁଗୁଲ୍ ଏବେ ନିଜର SynthID Detector ଓ APIକୁ କିଛି ବଛା ପାର୍ଟନରଙ୍କୁ ଯୋଗାଉଛି। SynthID ଟେକ୍ନୋଲୋଜି AI ଦ୍ୱାରା ତିଆରି ଛବି ଓ କଣ୍ଟେଣ୍ଟକୁ ଚିହ୍ନଟ କରିପାରୁଛି। ଏହା ଦ୍ୱାରା ଡିଜିଟାଲ ମିଡିଆ ଓ ଅନଲାଇନ୍ କଣ୍ଟେଣ୍ଟର ବିଶ୍ୱାସଯୋଗ୍ୟତା ବଢ଼ୁଛି ଏବଂ ଉପଭୋକ୍ତାମାନେ ଜାଣିପାରୁଛନ୍ତି କେଉଁଟି ପ୍ରକୃତ ଏବଂ କେଉଁଟି AIରୁ ତିଆରି।

ଗୁଗୁଲ୍‌ର ଏହି ନୂଆ AI ଉଦ୍ୟୋଗ ପ୍ରମାଣ କରୁଛି ଯେ, AI କେବଳ ନୂଆ ଟେକ୍ନୋଲୋଜି ତିଆରି ପାଇଁ ନୁହେଁ, ଉପଭୋକ୍ତାଙ୍କ ସୁରକ୍ଷା ଓ ଅନଲାଇନ୍ ବିଶ୍ୱାସ ବଜାୟ ରଖିବା ପାଇଁ ମଧ୍ୟ ଅତ୍ୟନ୍ତ ଜରୁରି। ଭାରତ ଭଳି ବିରାଟ ଡିଜିଟାଲ ବଜାରରେ Scam Detection, SynthID ଓ ePNV ଭଳି ଟେକ୍ନୋଲୋଜି ଲୋକମାନଙ୍କୁ ଅନଲାଇନ୍ ଠକେଇ ଓ ସାଇବର ବିପଦଠାରୁ ରକ୍ଷା କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବ।

Comments are closed.