ମୋହନା: ବାତ୍ୟା ‘ଅର୍ଣ୍ଣବ’ ଜନିତ ପ୍ରବଳ ବର୍ଷା ଗଜପତି ଜିଲ୍ଲାରେ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। କଇଁପୁର-ଗଙ୍ଗାବାଡ଼ ରାସ୍ତାରେ ଏକ ବଡ଼ ଧରଣର ଭୂସ୍ଖଳନ ଘଟି ରାସ୍ତା ଅବରୋଧ ହୋଇଯାଇଛି। ଯାହା ଫଳରେ ଅନେକ ଗାଁ ଯୋଗାଯୋଗରୁ ବିଚ୍ଛିନ୍ନ ହୋଇପଡ଼ିଛି।
ସୂଚନା ଅନୁଯାୟୀ, କ୍ରମାଗତ ବର୍ଷା ଯୋଗୁଁ ଜିଲ୍ଲାର ମୁଖ୍ୟ ନଦୀ ଓ ନାଳଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି। କିଛି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ଖବର ମିଳିଛି।
କଇଁପୁର-ଗଙ୍ଗାବାଡ଼ ରାସ୍ତାର ଏକ ଅଂଶରେ ହଠାତ୍ ପାହାଡ଼ ଧସି ପଡ଼ିବାରୁ ପ୍ରାୟ ୫୦ ମିଟର ରାସ୍ତା ଉପରେ ବଡ଼ ବଡ଼ ପଥର ଖଣ୍ଡ ଓ ମାଟି ଜମା ହୋଇପଡ଼ିଛି। ଫଳରେ ରାସ୍ତାଟି ସମ୍ପୂର୍ଣ୍ଣ ବନ୍ଦ ହେବା ସହ ଯାତାୟାତ ଠପ୍ ହୋଇଯାଇଛି, ଯାହା ଦ୍ୱାରା ଦୂରବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନେ ଯିବା ଆସିବା କରିପାରୁନାହାନ୍ତି।
ରାସ୍ତାରୁ ପଥର ଓ ମାଟି ହଟାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜେସିବି ମେସିନ୍ ଏବଂ ଶ୍ରମିକ ନିୟୋଜିତ କରାଯାଇଛି। ତେବେ କ୍ରମାଗତ ବର୍ଷା ଯୋଗୁଁ ଏହି କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।
ମହେନ୍ଦ୍ରତନୟା ଓ ବଂଶଧାରା ନଦୀ ସମେତ ସ୍ଥାନୀୟ ନାଳଗୁଡ଼ିକରେ ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଭିନ୍ନ ସ୍ଥାନରେ ପୋଲ ଓ କଲଭର୍ଟ ଉପରେ ପାଣି ପ୍ରବାହିତ ହେଉଥିବାରୁ ଭିତର ଗ୍ରାମଗୁଡ଼ିକୁ ଯିବା ଆସିବା ବାଧାପ୍ରାପ୍ତ ହୋଇଛି।
ବର୍ଷା ଓ ବନ୍ୟା ପାଣି ଯୋଗୁଁ ତଳିଆ ଅଞ୍ଚଳର ଅଧିକାଂଶ ଜମିରେ ପାଣିରେ ପଶି ଯାଇଛି। ବ୍ୟାପକ କୃଷି ଜମି ଜଳମଗ୍ନ ହୋଇପଡ଼ିଥିବାରୁ ଧାନ ଓ ପନିପରିବା ଫସଲ ବ୍ୟାପକ ଭାବେ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଥିବାରୁ ପରିସ୍ଥିତି ଆହୁରି ଖରାପ ହେବାର ସମ୍ଭାବନା ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପାହାଡ଼ିଆ ଏବଂ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

