ଭୁବନେଶ୍ବର: ବହୁ ଚର୍ଚ୍ଚିତ ପୋଲିସ ଏସଆଇ କେଳେଙ୍କାରୀ ମାମଲାରେ ଗିରଫ ହୋଇ ବ୍ରହ୍ମପୁର ଜେଲରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଭୁବନେଶ୍ବର ସ୍ଥିତ ଝାରପଡ଼ା ଜେଲକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ସାମ୍ବା, ଶଙ୍କର ପୃଷ୍ଟି, ସୁରେଶ ନାୟକଙ୍କ ସମେତ ୧୨ ଅଭିଯୁକ୍ତ ଝାରପଡ଼ା ଜେଲକୁ ସ୍ଥାନାନ୍ତର ହୋଇଛନ୍ତି ।
ତେବେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ମାମଲା ହସ୍ତାନ୍ତର ଓ ଅଭିଯୁକ୍ତଙ୍କୁ ସ୍ଥାନାନ୍ତର ପାଇଁ ପୂର୍ବରୁ ମୂଳ ଅଦାଲତରେ ପିଟିସନ ଦାଖଲ କରାଯାଇଥିଲା । କୋର୍ଟ ଅନୁମୋଦନ ପରେ ସନ୍ଧ୍ୟା ୮ଟା ବେଳେ ସମସ୍ତ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ଭୁବନେଶ୍ବର ଅଭିମୁଖେ ନିଆଯାଇଥିଲା । ସେପଟେ, ଆଜି ମାମଲାର ରେକର୍ଡପତ୍ର ହସ୍ତାନ୍ତର ହେବ ବୋଲି ସୂଚନା ରହିଛି ।
ପୂର୍ବରୁ ମଣ୍ଡଳ କାରାଗାରରେ ରହୁଥିବା ୧୧୪ ଜଣ ଏସଆଇ ଚାକିରି ଆଶାୟୀଙ୍କୁ ଅଦାଲତ ପକ୍ଷରୁ ଜାମିନ ମିଳିବା ପରେ ସେମାନେ ମୁକୁଳିଛନ୍ତି । ବ୍ରହ୍ମପୁର ଗୋଳନ୍ଥରା ଥାନା ଅଧିକାରୀ ତଥା ଡିଏସପି ବିବେକାନନ୍ଦ ସ୍ବାଇଁ ଏବଂ କ୍ରାଇମବ୍ରାଞ୍ଚ ଡିଏସପି ରତ୍ନପ୍ରଭା ସ୍ବାଇଁଙ୍କ ଠାରୁ ସିବିଆଇ ମାମଲା ସମ୍ପର୍କିତ କାଗଜପତ୍ର ନେଇଛି । ସେପ୍ଟେମ୍ବର ୨୯ରେ ୩ ଦଲାଲ ଓ ୧୧୪ ଆଶାୟୀଙ୍କୁ ବ୍ରହ୍ମପୁର ପୁଲିସ ଶ୍ରୀକାକୁଲମରୁ ଗିରଫ କରିଥିଲା ।
ଅନ୍ୟପଟେ, ପୋଲିସ ଏସଆଇ ନିଯୁକ୍ତି କେଳେଙ୍କାରୀ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଜି ଆଉ ୩ ଜଣଙ୍କୁ ମାରାଥନ୍ ଜେରା କରିଛି । ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦ ଜଣ ଆଶାୟୀଙ୍କୁ ସମନ କରିଛି । ସେମାନଙ୍କୁ ସିବିଆଇ କାର୍ଯ୍ୟାଳୟକୁ ଆସି ହାଜର ହେବାକୁ କୁହାଯାଇଛି । ସେମାନେ ହାଜର ହେବା ପରେ ବିଭିନ୍ନ ଦିଗକୁ ନେଇ ସିବିଆଇ ଜେରା କରିବ ।
Comments are closed.