ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣର ତଦନ୍ତ ଜାରି ରହିଛି। ତେବେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ଚାରି ଅଭିଯୁକ୍ତଙ୍କ ଏନଆଇଏ ହେପାଜତକୁ ଆଉ ଚାରି ଦିନ ବୃଦ୍ଧି କରିଛନ୍ତି। ଏହି ଅଭିଯୁକ୍ତମାନଙ୍କ ନାମ ହେଉଛି ଡକ୍ଟର ମୁଜାମ୍ମିଲ, ଡକ୍ଟର ଶାହିନ ସଇଦ, ମୁଫତି ଇରଫାନ ଅହମ୍ମଦ ଏବଂ ଆଦିଲ ଅହମ୍ମଦ।ସୋମବାର ଚାରି ଅଭିଯୁକ୍ତଙ୍କ ଏନଆଇଏ ହେପାଜତ ଶେଷ ହେଉଥିଲା, ଯାହା ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା।
ଏହି ନିର୍ଦ୍ଦେଶ ପ୍ରିନ୍ସିପାଲ ଜିଲ୍ଲା ଏବଂ ସେସନ୍ସ ଜଜ୍ ଅଞ୍ଜୁ ବଜାଜ ଚନ୍ଦନାଙ୍କ କୋର୍ଟ ଦେଇଛନ୍ତି। ଏହା ପରେ NIA ଟିମ୍ ସମସ୍ତଙ୍କୁ କୋର୍ଟରୁ ନିଜ ସହିତ ନେଇଯାଇଛି।
ପୂର୍ବରୁ, ନଭେମ୍ବର ୨୯ତାରିଖରେ କୋର୍ଟ ସୋମବାର ପର୍ଯ୍ୟନ୍ତ ଚାରି ଜଣଙ୍କୁ ଏନଆଇଏ ହେପାଜତକୁ ପଠାଇ ଦେଇଥିଲେ।
ଏନଆଇଏ ଅନୁଯାୟୀ, ଅଭିଯୁକ୍ତ ମୁଜାମ୍ମିଲ, ଡାକ୍ତର ଉମର ନବି, ଆଦିଲ, ଶାହିନ, ମୁଫତି ଏବଂ ଇରଫାନ ମିଶିକି ଏକ ବଡ଼ ଷଡ଼ଯନ୍ତ୍ର ରଚନା କରୁଥିଲେ। ଲାଲକିଲ୍ଲା ସାମ୍ନାରେ କାର୍ ବୋମା ବିସ୍ଫୋରଣ ଘଟାଇଥିଲେ ଡାକ୍ତର ଉମର ନବି।
ନଭେମ୍ବର ୧୦ ତାରିଖରେ ଡକ୍ଟର ଉମର-ଉନ-ନବି ଦ୍ୱାରା ଚାଳିତ ଏକ ବିସ୍ଫୋରକ ଭର୍ତ୍ତି I20 କାର ଲାଲକିଲ୍ଲା ନିକଟରେ ବିସ୍ଫୋରଣ ହୋଇଥିଲା । ଏଥିରେ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଲୋକ ଗୁରୁତର ଆହତ ହୋଇଥିଲେ।