ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଡେପୁଟି ଗଭର୍ଣ୍ଣର ବିଭୂତି ପ୍ରସାଦ କାନୁନଗୋଙ୍କୁ IIFL ଫାଇନାନ୍ସ ବୋର୍ଡର ନୂତନ ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି। ଏଥିସହିତ IIFL ଫାଇନାନ୍ସରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି।
ଏହି ନିଯୁକ୍ତି କମ୍ପାନୀର ଶାସନ ଗଠନକୁ ସୁଦୃଢ଼ କରିବା ଏବଂ ବିଭୂତି ପ୍ରସାଦଙ୍କ ବ୍ୟାପକ ଆର୍ଥିକ ଅଭିଜ୍ଞତାକୁ ଉପଯୋଗ ପାଇଁ ଏକ ରଣନୈତିକ ପଦକ୍ଷେପ। କେନ୍ଦ୍ରୀୟ ବ୍ୟାଙ୍କିଙ୍ଗ, ମୁଦ୍ରା ନୀତି ନିର୍ଦ୍ଧାରଣ ଏବଂ ଆର୍ଥିକ ନିୟନ୍ତ୍ରଣରେ ତାଙ୍କର ଚାରି ଦଶନ୍ଧିରୁ ଅଧିକ ଅଭିଜ୍ଞତା IIFL ଫାଇନାନ୍ସ ପାଇଁ ଅତ୍ୟନ୍ତ ମୂଲ୍ୟବାନ ହେବ ବୋଲି କୁହାଯାଉଛି।
ଆରବିଆଇରେ ଡେପୁଟି ଗଭର୍ଣ୍ଣର ଭାବରେ କାର୍ଯ୍ୟକାଳ ମଧ୍ୟରେ ସେ ଗୁରୁତ୍ୱପୂର୍ଣ୍ଣ ନିୟାମକ ସଂସ୍କାରକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାହକ ସୁରକ୍ଷା ପଦକ୍ଷେପଗୁଡ଼ିକୁ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତେବେ ଏନେଇ ସେ କହିଛନ୍ତି, “ମୁଁ ସଂଗଠନ ମଧ୍ୟରେ କର୍ପୋରେଟ୍ ଶାସନ, ବ୍ୟବସ୍ଥା, ନିୟନ୍ତ୍ରଣ, ଅନୁପାଳନ କାର୍ଯ୍ୟକୁ ବୃଦ୍ଧି କରିବା ପାଇଁ ପରିଚାଳନା ଏବଂ ବୋର୍ଡ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବି। ସେହିପରି IIFL ଫାଇନାନ୍ସ ଲିମିଟେଡ୍ ସମସ୍ତ ଅଂଶୀଦାରଙ୍କ ପାଇଁ ଏକ ସର୍ବୋତ୍ତମ ଆର୍ଥିକ ସଂସ୍ଥା ହେବା ଉପରେ ଗୁରୁତ୍ୱାରୋପ କରିବି।”
ଅପରପକ୍ଷରେ IIFL ଫାଇନାନ୍ସର ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦ୍ଦେଶକ ନିର୍ମଳ ଜୈନ କହିଛନ୍ତି, “ବିଭୂତି ପ୍ରସାଦ କାନୁନଗୋ ଅଧ୍ୟକ୍ଷ ଭାବରେ ନିଯୁକ୍ତି ହେବା ଦ୍ଵାରା IIFL ଫାଇନାନ୍ସ ଲିମିଟେଡର ଶାସନ ଢାଞ୍ଚାକୁ ଆହୁରି ସୁଦୃଢ଼ ହେବ ଏବଂ ଏହାର ପରବର୍ତ୍ତୀ ପର୍ଯ୍ୟାୟ ଅଭିବୃଦ୍ଧି ପାଇଁ ପ୍ରତିଷ୍ଠାନକୁ ପ୍ରସ୍ତୁତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ। କେନ୍ଦ୍ରୀୟ ବ୍ୟାଙ୍କିଙ୍ଗ, ମୁଦ୍ରା ନୀତି ଏବଂ ଆର୍ଥିକ ନିୟନ୍ତ୍ରଣରେ ତାଙ୍କର ଉତ୍କୃଷ୍ଟ ଅଭିଜ୍ଞତା ଭଲ ମାର୍ଗଦର୍ଶନ ପ୍ରଦାନ କରିବ। ସେହିପରି ଜଣେ ଅଭିଜ୍ଞ ନିୟାମକଙ୍କ ନିଯୁକ୍ତି ନିବେଶକଙ୍କ ବିଶ୍ୱାସକୁ ଆହୁରି ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ଯାହା NBFC କ୍ଷେତ୍ର ପାଇଁ ଏକ ସକାରାତ୍ମକ ସଙ୍କେତ ଅଟେ।