ଆଡିଲେଡ: ଚଳିତ ଆଶେସ ସିରିଜରେ ଇଂଲଣ୍ଡର ନୈରାଶ୍ୟଜନକ ପ୍ରଦର୍ଶନ ଜାରୀ ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ କ୍ରମାଗତ ୩ଟି ଟେଷ୍ଟ ହାରି ଏବେ ଇଂଲଣ୍ଡ ଆଶେସ ହାତେଇବା ସୁଯୋଗ ହାତଛଡା କରିଛି । ଅପରପକ୍ଷରେ ଚମତ୍କାର ପ୍ରଦର୍ଶନ ଜାରୀ ରଖି ଅଷ୍ଟ୍ରେଲିଆ ଆଶେସ ସିରିଜ ବଜାୟ ରଖିଛି । ୪୩୫ ରନର ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୩୫୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଜ୍ୟାକ କ୍ରାଉଲେ ୮୫, ଜେମୀ ସ୍ମିଥ ୬୦, ୱିଲ ଜ୍ୟାକ୍ସ ୪୭ ଓ ବ୍ରେଣ୍ଡନ କୋର୍ସ ୩୯ ରନ କରି ଅପରାଜିତ ରହିଥିଲେ । ଇଂଲଣ୍ଡ ଦ୍ୱିତୀୟ ଇନିଂସରେ କଡା ସଂଘର୍ଷ କରିଥିଲେ ମଧ୍ୟ ଏହାର ଫାଇଦା କିଛି ହୋଇ ନ ଥିଲା ।
ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ, ପ୍ୟାଟ କୁମିନ୍ସ ଓ ନାଥାନ ଲାୟନ ୩ଟି ଲେଖାଏଁ ୱିକେଟ ନେଇଥିଲେ । ପୂର୍ବରୁ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ୩୭୧ ରନ ଜବାବରେ ଇଂଲଣ୍ଡ ୨୮୬ ରନ କରିଥିଲା । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୩୪୯ ରନ କରି ୪୩୫ ରନର ବିଶାଳ ଲକ୍ଷ୍ୟ ପ୍ରଦାନ କରିଥିଲା । ପ୍ରଭାବୀ ପ୍ରଦର୍ଶନ ପାଇଁ ଆଲେକ୍ସ କ୍ୟାରୀ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।