ନୂଆଦିଲ୍ଲୀ: ବାଂଲାଦେଶରେ ଇନକିଲାବ ମଞ୍ଚର ମୁଖପାତ୍ର ଏବଂ ଛାତ୍ର ନେତା ସରିଫ ଓସମାନ ବିନ୍ ହାଦିଙ୍କ ହତ୍ୟା ପରେ ସୃଷ୍ଟି ହୋଇଥିବା ହିଂସା ପ୍ରାୟତଃ ଥମିନାହିଁ, ଏବଂ ଦେଶ ପୁଣି ଥରେ ଥରି ଉଠିଛି। ଯୁବନେତା ଶରିଫ ଓସମାନ ବିନ୍ ହାଦୀଙ୍କୁ ହତ୍ୟା କରାଯିବା ପରେ ଦେଶରେ ହିଂସା ଉଗ୍ର ରୂପ ନେଇଥିବାବେଳେ ଆଉ ଜଣେ ନେତାଙ୍କୁ ଗୁଳି କରାଯାଇଛି। ସେହି ନେତା ଜଣକ ହେଉଛନ୍ତି ମହମ୍ମଦ ମୋତାଲେବ ସିକ୍ଦାର। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କର ଚିକିତ୍ସା ଚାଲିଛି। ଏହି ଘଟଣା ଏପରି ସମୟରେ ଘଟିଛି ଯେତେବେଳେ ସମଗ୍ର ଦେଶ ପୂର୍ବରୁ ରାଜନୈତିକ ଉତ୍ତେଜନା, ରାସ୍ତା ହିଂସା ଏବଂ ସାଂଗଠନିକ ଅସ୍ଥିରତା ଅନୁଭବ କରୁଛି। ନେତାମାନଙ୍କ ଉପରେ ଆକ୍ରମଣର ସିରିଜ୍ ମଧ୍ୟବର୍ତ୍ତୀକାଳୀ ସରକାରଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।
ବାଂଲାଦେଶର ସୋନାଦଙ୍ଗା ଅଞ୍ଚଳର ଶେକପଡ଼ା ପଲ୍ଲୀରେ ୪୨ ବର୍ଷୀୟ ସିକ୍ଦାର ରୁହନ୍ତି। ସେ ଦଳର ଶ୍ରମିକ ଶାଖାର କେନ୍ଦ୍ରୀୟ ସଂଗଠକ। ସୋମବାର ତାଙ୍କୁ କେହି ଦୁର୍ବୃତ୍ତ ଗୁଳି କରିଥିବା ନେଇ ଦଳର ଯୁଗ୍ମ ପ୍ରମୁଖ ସଂଯୋଜକ ମହମୁଦା ମିଟୁ ଫେସବୁକରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି। ସିକଦାର ଏକ ରାଲି ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଏହି ଘଟଣା ଘଟିଛି। ତେବେ ସେ ବିପଦମୁକ୍ତ ଥିବା ଡାକ୍ତର କହିଛନ୍ତି।
ଆକ୍ରମଣକାରୀମାନେ ଏକ ମୋଟରସାଇକେଲରେ ଆସି ଘରେ ପ୍ରବେଶ କରି ନେତାଙ୍କୁ ଗୁଳି କରିଥିଲେ। ଡାକ୍ତରମାନେ କହିଛନ୍ତି ଯେ ନେତା ବର୍ତ୍ତମାନ ବିପଦମୁକ୍ତ ଅଛନ୍ତି। ଗୁଳି ତାଙ୍କ କାନରେ ପଶି ବାହାରକୁ ବାହାରି ଯାଇଛି।
ସୂଚନା ଅନୁସାରେ ସରିଫ ଓସମାନ ହାଦିଙ୍କୁ ପୂର୍ବରୁ ଡିସେମ୍ବର ୧୨ ତାରିଖରେ ଢାକାରେ ଗୁଳି କରାଯାଇଥିଲା। ତାଙ୍କୁ ଢାକା ମେଡିକାଲ କଲେଜରେ ଚିକିତ୍ସା କରାଯାଇଥିଲା। ତାଙ୍କୁ ଅଧିକ ଚିକିତ୍ସା ପାଇଁ ଡିସେମ୍ବର ୧୫ ତାରିଖରେ ସିଙ୍ଗାପୁର ନିଆଯାଇଥିଲା, କିନ୍ତୁ ସେଠାରେ ମଧ୍ୟ ତାଙ୍କୁ ବଞ୍ଚାଯାଇ ପାରିନଥିଲା। ଡିସେମ୍ବର ୧୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।
ତେବେ ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଉତ୍ତେଜନା ମଧ୍ୟରେ ଜଣେ ୭ ବର୍ଷର ଝିଅକୁ ଜୀବନ୍ତ ଜାଳି ଦିଆଯାଇଥିବା ରିପୋର୍ଟ ସାମ୍ନାକୁ ଆସିଛି। ଏକ ଉତ୍ତ୍ୟକ୍ତ ଜନତା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତା ବେଲାଲ ହୋସେନଙ୍କ ଘର ଉପରେ ଆକ୍ରମଣ କରି ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ଡେଲି ଷ୍ଟାର ଏବଂ ଢାକା ଟ୍ରିବ୍ୟୁନ୍ ରିପୋର୍ଟ କରିଛି ଯେ ଘଟଣାଟି ଶନିବାର ପ୍ରତ୍ୟୁଷରେ ଲକ୍ଷ୍ମୀପୁରରେ BNP ନେତାଙ୍କ ଘରେ ଘଟିଛି।