Latest Odisha News

BREAKING NEWS

Village vs City: ଗାଁ ନା ସହର କେଉଁଠି ଅଧିକ ଦିନ ବଞ୍ଚୁଛନ୍ତି ଲୋକେ? ରିପୋର୍ଟରେ ବଡ ଖୁଲାସା…

ନୂଆଦିଲ୍ଲୀ: ଗାଁର ପବନ, ବିଶୁଦ୍ଧ ପାଣି ଓ ସରଳ ଜୀବନଶୈଳୀ ମଣିଷକୁ ଦୀର୍ଘାୟୁ କରେ ବୋଲି ଅନେକଙ୍କ ଧାରଣା। କିନ୍ତୁ ତଥ୍ୟ କହୁଛି ଏକ ଭିନ୍ନ କାହାଣୀ। ଦୀର୍ଘ ଜୀବନ ଜିଇଁବା କ୍ଷେତ୍ରରେ ଗାଁ ଅପେକ୍ଷା ସହର ଆଗରେ। ଭାରତରେ ସହରରେ ଜନ୍ମ ନେଉଥିବା ଶିଶୁମାନେ ଗ୍ରାମାଞ୍ଚଳରେ ଜନ୍ମ ନେଉଥିବା ଶିଶୁଙ୍କ ତୁଳନାରେ ପ୍ରାୟ ୩ ବର୍ଷ ଅଧିକ ବଞ୍ଚିବାର ଆଶା ରଖିପାରନ୍ତି। ଏପରିକି ରାଜ୍ୟ ରାଜ୍ୟ ମଧ୍ୟରେ ମଧ୍ୟ ରହିଛି ଆୟୁଷର ବଡ଼ ଫରକ। କେରଳ ଓ ଛତିଶଗଡ଼ ମଧ୍ୟରେ ଏହି ଅନ୍ତର ପ୍ରାୟ ୧୦ ବର୍ଷ!

ଡାଟା ଫର୍ ଇଣ୍ଡିଆର ଲାଇଫ୍ ଏକ୍ସପେକ୍ଟାନ୍ସି ସମ୍ପର୍କିତ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ୧୯୫୦ ମସିହାରେ ଭାରତରେ ଜନ୍ମ ନେଉଥିବା ଶିଶୁଙ୍କ ହାରାହାରି ଆୟୁଷ ପ୍ରାୟ ୪୧ ବର୍ଷ ଥିଲା। କିନ୍ତୁ ୨୦୨୪ ସୁଦ୍ଧା ଏହା ବୃଦ୍ଧି ପାଇ ପ୍ରାୟ ୭୨ ବର୍ଷରେ ପହଞ୍ଚିଛି। ଅର୍ଥାତ୍, ସାତ ଦଶନ୍ଧି ମଧ୍ୟରେ ଭାରତୀୟଙ୍କ ହାରାହାରି ଆୟୁଷରେ ପ୍ରାୟ ୩୧ ବର୍ଷର ବୃଦ୍ଧି ହୋଇଛି।

ତେବେ ସହରରେ ଆୟୁଷ ଅଧିକ କାହିଁକି? ସହରରେ ଦୀର୍ଘାୟୁର ପ୍ରମୁଖ କାରଣ ହେଉଛି ଉନ୍ନତ ସ୍ୱାସ୍ଥ୍ୟସେବା। ବଡ଼ ହସ୍ପିଟାଲ୍, ଡାକ୍ତର, ରୋଗ ପରୀକ୍ଷା କେନ୍ଦ୍ର ଓ ଗୁରୁତର ରୋଗର ଚିକିତ୍ସା ସୁବିଧା ସହରରେ ଅଧିକ ସହଜରେ ମିଳିଥାଏ। ରୋଗର ଠିକ୍ ସମୟରେ ଚିହ୍ନଟ ଏବଂ ଚିକିତ୍ସା ଦ୍ୱାରା ଜୀବନ ବଞ୍ଚିବାର ସମ୍ଭାବନା ବଢ଼େ। ଏହାସହ ଶିକ୍ଷା, ସ୍ୱାସ୍ଥ୍ୟ ସଚେତନତା, ଟିକାକରଣ, ଗର୍ଭବତୀ ମହିଳାଙ୍କ ଯତ୍ନ ଓ ଶିଶୁଙ୍କ ପୋଷଣ ସମ୍ପର୍କରେ ସହରରେ ଅଧିକ ସୁବିଧା ମିଳିପାରେ।

ରାଜ୍ୟଗୁଡ଼ିକ ମଧ୍ୟରେ ମଧ୍ୟ ଆୟୁଷରେ ବଡ଼ ଅନ୍ତର ଦେଖାଯାଉଛି। ରିପୋର୍ଟ ଅନୁସାରେ, କେରଳରେ ଜନ୍ମ ନେଉଥିବା ଶିଶୁଙ୍କ ଆଶାନୁରୂପ ଆୟୁଷ ଛତିଶଗଡ଼ରେ ଜନ୍ମ ନେଉଥିବା ଶିଶୁଙ୍କ ତୁଳନାରେ ପ୍ରାୟ ୧୦ ବର୍ଷ ଅଧିକ। କେରଳର ଉଚ୍ଚ ଶିକ୍ଷାହାର, ଉନ୍ନତ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ସଚେତନତା ଏହାର ପ୍ରମୁଖ କାରଣ ହୋଇପାରେ। ଅନ୍ୟପଟେ, ଦାରିଦ୍ର୍ୟ, କୁପୋଷଣ ଓ ଚିକିତ୍ସା ସୁବିଧାର ଅଭାବ ଅନେକ ଅଞ୍ଚଳରେ ଚ୍ୟାଲେଞ୍ଜ ହୋଇ ରହିଛି।

ରିପୋର୍ଟରେ ଆଉ ଏକ ରୋଚକ ତଥ୍ୟ ରହିଛି। ଭାରତରେ ୧୯୫୦ ଦଶକରେ ପୁରୁଷଙ୍କ ଆୟୁଷ ମହିଳାଙ୍କଠାରୁ ଅଧିକ ଥିଲା। କିନ୍ତୁ ୧୯୮୦ ଦଶକର ଆରମ୍ଭରେ ଏହି ସ୍ଥିତି ବଦଳିଗଲା। ୨୦୨୪ରେ ଜନ୍ମ ନେଉଥିବା ଝିଅମାନେ ପୁଅମାନଙ୍କ ତୁଳନାରେ ୩ ବର୍ଷରୁ ଅଧିକ ଦୀର୍ଘ ଜୀବନ ଜିଇଁବାର ଆଶା ରଖିପାରନ୍ତି। ଜୈବିକ କାରଣ ସହ ପୁରୁଷଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଓ କେତେକ ଗୁରୁତର ରୋଗର ଅଧିକ ବିପଦ ଏହା ପଛରେ ରହିଛି।

କରୋନା ମହାମାରୀ ସମୟରେ ଭାରତର ଆୟୁଷ ହ୍ରାସ ପାଇଥିଲେ ମଧ୍ୟ ୨୦୨୨ ସୁଦ୍ଧା ଏହା ମହାମାରୀ ପୂର୍ବ ସ୍ତରକୁ ଫେରିଥିଲା। ପରେ ପୁଣି ବୃଦ୍ଧି ପାଇଛି। ଏହି ତଥ୍ୟ ସ୍ପଷ୍ଟ କରୁଛି, ଦୀର୍ଘାୟୁ ପାଇଁ କେବଳ ଜୀବନଶୈଳୀ ନୁହେଁ, ଉନ୍ନତ ଚିକିତ୍ସା ଓ ସ୍ୱାସ୍ଥ୍ୟସେବାର ସୁଯୋଗ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

Leave A Reply

Your email address will not be published.