ଭୁବନେଶ୍ୱର: ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ ବୋଲି ବିଜୁ ଜନତା ଦଳ କହିଛି ।
ଶନିବାର ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଉପସଭାପତି ସଂଜୟ ଦାସବର୍ମା, ଡବଲ ଇଂଜିନ ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ, ଏହି ୧୮ ମାସର ସରକାର ମହିଳା ହିଂସାରେ ଓଡିଶାର ନାମକୁ ବିଶ୍ୱ ଦରବାରରେ କଳଙ୍କିତ କରିଛି । ଆନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳ ବ୍ରହ୍ମଗିରିରେ ପର୍ଯ୍ୟଟନ ଋତୁ ଚାଲିଥିଲା ବେଳେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଘରେ ପଶି ଦୁଷ୍କର୍ମ କରାଯାଇଛି । ଯାହା ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳାର ବିପର୍ଯ୍ୟସ୍ତ ଚିତ୍ରର ନଗ୍ନ ରୂପ ଦେଖାଉଛି । ଏହି ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ ଘଟଣା ବ୍ରହ୍ମଗିରିକୁ କେବଳ ନିନ୍ଦିତ କରିନି, ବ୍ରହ୍ମଗିରି ଭଳି ଏକ ବିଶ୍ୱପର୍ଯ୍ୟଟନ ସ୍ଥଳୀ ଯେଉଁଠିକୁ ହଜାର ହଜାର ପର୍ଯ୍ୟଟକ ଏହି ସମୟରେ ଚିଲିକା ହ୍ରଦ, ନଳବଣ, ସାତପଡା, ମାଆ କାଳୀଜାଇ ପୀଠ, ମାଆ ବାଲିହରଚଣ୍ଡି ପୀଠ ଓ ପ୍ରଭୁ ଅଲାରନାଥ ପୀଠକୁ ଆସିଥାଆନ୍ତି । ଆଜି ଏଭଳି ଘଟଣା ସମଗ୍ର ରାଜ୍ୟକୁ ନିନ୍ଦିତ କରିଛି ।
ବିଜେପି ଶାସନରେ ଗତ ୧୮ ମାସରେ ମହିଳା ବିରୋଧୀ ଅପରାଧ ମାମଲା ୪୦ ହଜାର ୯୪୭ ରୁଜୁ ହୋଇଛି । ସେଥିମଧ୍ୟରୁ ଦୁଷ୍କର୍ମ ମାମଲା ୩ ହଜାର ୨୦୫ଟି, ବଳାକ୍ରାର ଉଦ୍ୟମ ମାମଲା ୨୦୨ଟି, ବିବାହ ପ୍ରଲୋଭନ ମାମଲା ୪୪୦ଟି, ଶୋଷଣ ମାମଲା ୯ ହଜାର ୮୫୧ଟି, ଯୌନ ନିର୍ଯାତନା ୧ ହଜାର ୪୭୬, ସାର୍ବଜନନୀ ସ୍ଥାନରେ ଅସଦାଚରଣ ୨ହଜାର ୩୧୦ଟି, ଅପହରଣ ୮ ହଜାର ୮୬୩ଟି, ଯୌତୁକ ନିର୍ଯାତନା ୫ ହଜାର ୮୬୧ଟି, ଶୋଷଣା ଏବଂ ନିର୍ଯାତନା ୬ ହଜାର ୭୭୩ଟି, ଯୌତୁକ ଜନିତ ମୃତୁ୍ୟ ୪୯ଟି ମାମଲା ଦାୟର ହୋଇଛି ।
ସେହିପରି ଦାସବର୍ମା କହିଥିଲେ, ନିକଟରେ ବାଲିହରଚଣ୍ଡି ଠାରେ ଘଟିଥିବା ଦୁଷ୍କର୍ମ ମାମଲା ପୁରୀବାସୀଙ୍କ ମନରୁ ନଲିଭୁଣୁ ଆଉ ଏକ ଦୁଷ୍କର୍ମ ପୁରୀ ପ୍ରଶାସନର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିକଟରେ ହରିଦାସ ଗାଁରେ ନିରୀହ ମାଆମାନଙ୍କୁ ପ୍ରଶାସନ ଅତ୍ୟଧିକ ଅମାନୁଷିକ ନିର୍ଯାତନା ଦେଇ ଜେଲ ପଠାଇଛି । ଆଜି ଦିନରେ ମହିଳାଙ୍କ ସୁରକ୍ଷା ଓ ସମ୍ମାନକୁ ନେଇ ଓଡିଶା ବିଶ୍ୱ ଦରବାରରେ ବାରମ୍ବାର ନିନ୍ଦିତ ହେଉଛି ।
ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବାରୁ ଗୃହ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସମସ୍ତ ପର୍ଯ୍ୟନ୍ତ ପର୍ଯ୍ୟଟନସ୍ଥଳୀରେ ବ୍ୟାପକ ଭାବେ ପୋଲିସ ମୁତୟନ କରି ସୁରକ୍ଷା ବ୍ୟବସ୍ଥା କଡାକଡି କରନ୍ତୁ ବୋଲି ବିଜେଡି ଦାବି କରିଛି ।