ନୂଆଦିଲ୍ଲୀ:କଂଗ୍ରେସ ଭିତରେ ମାଳମାଳ ଅସନ୍ତୋଷ। ମୂଳରୁ ଚୂଳ, ନେତା ଓ କାର୍ଯ୍ୟକର୍ତ୍ତାଙ୍କ ମନଊଣା । ଯାହା ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛିନେତୃତ୍ବ ଆଖପାଖରେ ଥିବା ନେତାମାନଙ୍କୁ ନେଇ ଆଦୌ ସନ୍ତୁଷ୍ଟ ନାହାନ୍ତି ଅଧିକାଂଶ ଲିଡର ।ଗତ କିଛିମାସ ଧରି ଶଶୀ ଥରୁର ପରିବାରପାଦ ଓ ଗାନ୍ଧି ପରିବାର ବିଷୟରେ କହି ଚାଲିଛନ୍ତି ।ଏବେ କୁହୁଳୁଥିବା ନିଆଁକୁ ହୁତୁହୁତୁ ହୋଇ ଜାଳିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ଭେଟେରାନ ଦିଗବିଜୟ ସିଂହ ।
ରାଜନୀତିରେ ଉଚିତ୍ ସମୟ ହିଁ ସବୁକିଛି ଯିଏ ପ୍ରକୃତ ସମୟକୁ ପରଖି ପାରିଲା, ସିଏ ହିଁ ହେଉଛି ବିଚକ୍ଷଣ ରାଜନେତା ।ଯେତେବେଳେ ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟସମିତିର ବୈଠକ CWC, ମନରେଗା ନାଁ ପରିବର୍ତ୍ତନକୁ ନେଇ ରଣନୀତି ପ୍ରସ୍ତୁତ କରୁଥିଲା, ସେତେବେଳେ ମଧ୍ୟପ୍ରଦେଶର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ପୂରା ଦଳରେ ହଇଚଇ ସୃଷ୍ଟି କରିଛି ।ଏହା କେବଳ ଏକ ପୋଷ୍ଟ ନୁହେଁ, ବରଂ ଏ ହେଉଛି କଂଗ୍ରେସ ଭିତରେ ଥିବା ଅସନ୍ତୋଷ, ଯାହା ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି ।
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ଭେଟେରାନ୍ ଦିଗବିଜୟ ସିଂହ ସିଧାସଳଖ ରାହୁଲ ଗାନ୍ଧିଙ୍କ ନାଁ ନେଇ ଲେଖିଛନ୍ତି । ସୋସିଆଲ ମିଡିଆରେ ସେ ଲେଖିଛନ୍ତି ଯେ, ଯେଉଁଭଳି ଦେଶରେ ନିର୍ବାଚନ ଆୟୋଗରେ ସୁଧାରର ଆବଶ୍ୟକତା ଅଛି, ସେମିତି କଂଗ୍ରେସ ସଂଗଠନକୁ ମଧ୍ୟ ବିକେନ୍ଦ୍ରୀକରଣ ବା ଡିସେଣ୍ଟ୍ରାଲସାଇଜ୍ ଏବଂ ପରିବର୍ତ୍ତନର ନିହାତି ଜରୁରୀ ଅଛି ।ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଯେ, ସବୁଠୁ ବଡ଼ କଷ୍ଟ ହେଉଛି ରାହୁଲ ଗାନ୍ଧିଙ୍କୁ ମନାଇବା ।
ଡିସେମ୍ବର ୧୯ ତାରିଖରେ ଦିଗବିଜୟ କରିଥିବା ପୋଷ୍ଟ ଏବେ ଆଉ ଏକ ପ୍ରସଙ୍ଗରେ ଚର୍ଚ୍ଚାର ଖୋରାକ୍ ଯୋଗାଇଛି…ଡିସେମ୍ବର ୨୭ ତାରିଖରେ ସେ ପୁଣି ଏକ ପୋଷ୍ଟ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ RSS-BJP ସଂଗଠନକୁ ପ୍ରଶଂସା କରି ପୋଷ୍ଟ କରିଛନ୍ତି ଦିଗବିଜୟ ।ସେ ଲେଖିଛନ୍ତି ଯେ, ତୃଣମୂଳସ୍ତରରେ ତଳେ ବସିଥିବା କାର୍ଯ୍ୟକର୍ତ୍ତା ମଧ୍ୟ ବିଜେପିରେ ଆଗକୁ ଯାଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ।ଏହି ବୟାନ କଂଗ୍ରେସର ସେହି ସଂସ୍କୃତି ଉପରେ ସିଧା ପ୍ରହାର, ଯେଉଁଠି କୋଟେରୀ ହିଁ ସବୁକିଛି ସ୍ଥିର କରିଥାଏ ।କିନ୍ତୁ କଥାଟା ଚାରିଆଡ଼େ ମହକିବା ପରେ ନିଜ ଅସନ୍ତୋଷରେ ଛନ୍ଦ ଅଳଙ୍କାର ଯୋଡ଼ିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ । ଅନ୍ୟପଟେ କୁହାଯାଉଛି ଯେ, ଦିଗବିଜୟଙ୍କୁ ନିଜର ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତା ନାହିଁ । ଅସଲ କାରଣ ଯାହା ବି ହେଉ, କିନ୍ତୁ ଦିଗବିଜୟ ସିଂହ କଂଗ୍ରେସରେ ପରିବର୍ତ୍ତନର ସ୍ବର ଉଠାଇ ନିଆଁରେ ଘିଅ ଢାଳିଛନ୍ତି ।ଦୀର୍ଘ ଦିନ ଧରି କୁହୁଳୁଥିବା ଅସନ୍ତୋଷର ନିଆଁ ଏବେ ହୁତୁହୁତୁ ହୋଇ ଜଳି ଉଠିଛି ।ଗୋଟିଏ କଥା ସ୍ପଷ୍ଟ ଯେ, କଂଗ୍ରେସର ଶୀର୍ଷ ନେତୃତ୍ବଙ୍କ ଆଖପାଖରେ ଥିବା ନେତାଙ୍କୁ ନେଇ ଦଳୀୟ କାର୍ଯ୍ୟକର୍ତ୍ତା ଅସନ୍ତୁଷ୍ଟ ଅଛନ୍ତି ।