ନୂଆଦିଲ୍ଲୀ: ସରିବ ୪ ବର୍ଷ ଧରି ଚାଲିଥିବା ଘମାଘୋଟ ଲଢେଇ । ଯୁଦ୍ଧ ବନ୍ଧ ନେଇ ଶେଷ ପର୍ଯ୍ୟାୟରେ ରହିଛି ଆଲୋଚନା । ଫ୍ଲୋରିଡ଼ାରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଶାନ୍ତି ଆଲୋଚନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ୨୦ ସୁତ୍ରୀ ପିସ୍ ପ୍ଲାନ୍ ଉପରେ ୯୫ ପ୍ରତିଶତ ସହମତି ହୋଇଛି ।ରୁଷ୍ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧର ଅନ୍ତ ଘଟାଇବା ଉଦ୍ୟମ କ୍ରମରେ ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମିର ଜେଲେନସ୍କି। ଫ୍ଲୋରିଡାର ମାରାଲାଗୋ ଇଷ୍ଟେଟ୍ରେ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଛି। ଜେଲେନସ୍କିଙ୍କ ସହିତ କଥାବାର୍ତ୍ତା କରିବା ପୂର୍ବରୁ ଟ୍ରମ୍ପ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ କଥାବାର୍ତ୍ତା କରିଥିଲେ। ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ସକାରାତ୍ମକ ଥିଲା। ଟ୍ରମ୍ପ କହିଛନ୍ତି ଯେ ଯୁଦ୍ଧ ବନ୍ଦ ପୂର୍ବକ ଶାନ୍ତି ପ୍ରତିଷ୍ଠା ଲାଗି ପୁଟିନ ପୂର୍ବାପେକ୍ଷା ଏବେ ବେଶ୍ ବ୍ୟଗ୍ର ଅଛନ୍ତି।
ଆଲୋଚନା ପୂର୍ବରୁ ଟ୍ରମ୍ପ ୨ ଘଣ୍ଟା ଫୋନ୍ରେ ପୁଟିନ୍ଙ୍କ ସହ ଆଲୋଚନା କରିଥିଲେ । ବୈଠକ ପରେ ଟ୍ରମ୍ପ-ଜେନେନସ୍କି ପ୍ରେସ୍ମିଟ୍ କରି ଆଲେଚନା ବିଷୟରେ ପ୍ରତିକ୍ରିୟା ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ”ଆମର ଭଲ ଆଲୋଚନା ହୋଇଛି । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିଲୁ । ପୁଟିନଙ୍କ ସହ ଫୋନ୍ରେ ଏକ ସକାରାତ୍ମକ ଫୋନ୍ ଆଲୋଚନା ହୋଇଥିଲା । ଆମେ ଅନେକ ପଏଣ୍ଟ ଉପରେ ଆଲୋଚନା କରିଥିଲୁ । ମୁଁ ଭାବୁଛି ଆମେ ଶାନ୍ତିର ବହୁତ ନିକଟତର ହେଉଛୁ । ରାଷ୍ଟ୍ରପତି ଏବଂ ମୁଁ ବର୍ତ୍ତମାନ ୟୁରୋପୀୟ ନେତାମାନଙ୍କ ସହିତ କଥା ହୋଇଛୁ । ଆମେ ଏହି ଯୁଦ୍ଧକୁ ସମାପ୍ତ କରିବାରେ ଅଗ୍ରଗତି କରିଛୁ, ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସମ୍ଭବତଃ ସବୁଠାରୁ ଘାତକ ଯୁଦ୍ଧ ।” ଏକ ଶାନ୍ତି ଚୁକ୍ତିନାମା ପାଇଁ କେତେ ସମୟ ଲାଗିପାରେ ବୋଲି ପଚରାଯିବାରୁ, ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଯଦି ସବୁକିଛି ଠିକ୍ ଠାକ୍ ହୁଏ, ତେବେ ଏହା କିଛି ସପ୍ତାହ ମଧ୍ୟରେ ହୋଇପାରିବ । କିନ୍ତୁ ଯଦି ପରିସ୍ଥିତି ଆହୁରି ଖରାପ ହୁଏ, ତେବେ ଏହା ହେବ ନାହିଁ, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ହେବ ।”
ୟୁକ୍ରେନ ଶାନ୍ତି ପାଇଁ ପ୍ରସ୍ତୁତ- ଜେଲେନସ୍କି ଟ୍ରମ୍ପଙ୍କୁ ତାଙ୍କ କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ ୟୁକ୍ରେନ୍ ଶାନ୍ତି ପାଇଁ ପ୍ରସ୍ତୁତ । ସାମରିକ ଦିଗରେ ୧୦୦ ପ୍ରତିଶତ ସହମତି ହୋଇଛି ।