ହାଇଦ୍ରାବାଦ: ଚଳିତ ବିଜୟ ହଜାରେ ଟ୍ରଫିରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିିଳିଛି । ଗୁରୁବାର ବରୋଦା ଓ ହାଇଦ୍ରାବାଦ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ମଧ୍ୟ ଏକ ବଡ ରେକର୍ଡ ସୃଷ୍ଟି ହୋଇଛି । ଏହି ମ୍ୟାଚ ଏବେ ରେକର୍ଡ ବୁକରେ ସ୍ଥାନ ପାଇଛି । ହାଇ ସ୍କୋରିଂ ମୁକାବିଲାରେ ଉଭୟ ଟିମର ବ୍ୟାଟ୍ସମ୍ୟାନ ୫ ଶତକ ମାରିଥିଲେ । ଲିଷ୍ଟ ଏ କ୍ରିକେଟରେ ଏହା ଏକ ରେକର୍ଡ । ବରୋଦା ପ୍ରଥମେ ବ୍ୟାଟିଂ କରି ୪୧୭ ରନର ବିଶାଳ ସ୍କୋର କରିଥିଲା । ନିତ୍ୟା ପାଣ୍ଡ୍ୟା(୧୨୨), ଅମିତ ପୋସାଇ(୧୨୭) ଓ କୃଣାଳ ପାଣ୍ଡ୍ୟା(୧୦୯ ନଟଆଉଟ) ଶତକ ହାସଲ କରିଥିଲେ ।
ହାଇଦ୍ରାବାଦ ୪୧୮ ରନର ଲକ୍ଷ୍ୟକୁ ପିଛା କରି ୩୮୦ ରନରେ ଅଲଆଉଟ ହୋଇ ଯାଇଥିଲା । ଅଭିର୍ଥ ରେଡ୍ଡୀ ୧୩୦ ଓ ପ୍ରଜ୍ଞା ରେଡ୍ଡୀ ୧୧୩ ରନ କରିଥିଲେ । ପୂର୍ବରୁ ଲିଷ୍ଟ ଏ କ୍ରିକେଟରେ ଗୋଟିଏ ମ୍ୟାଚରେ ୫ଟି ଶତକ ମରାଯାଇ ନ ଥିଲା । ଏହି ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ୩୭ ରନରେ ହାଇଦ୍ରାବାଦ ପରାଜିତ ହୋଇଥିଲେ ମଧ୍ୟ କଡା ସଂଘର୍ଷ କରିଥିଲା । ଗୋଟିଏ ମ୍ୟାଚରେ ୭୯୮ ରନ ସଂଗ୍ରହ ହୋଇଥିଲା ।