Latest Odisha News

BREAKING NEWS

ନିଖୋଜ ନେତାଜୀ; ସୁଭାଷ ବୋଷଙ୍କ ଅନ୍ତର୍ଦ୍ଧାନ ଘଟଣା ଏବେବି ରହସ୍ୟାବୃତ !

ଭୁବନେଶ୍ୱର: ମହାନ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଥିଲେ ଏକ ଅସାଧାରଣ ବ୍ୟକ୍ତିତ୍ୱ । ପିଲାଟି ବେଳୁ ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ବୁଦ୍ଧି ଓ ବିବେକ ଦ୍ୱାରା ନିଜକୁ ପରିଚାଳିତ କରୁଥିଲେ । ଅସୀମ ସାହସ, ପରାକାଷ୍ଠା ତଥା ମାତୃଭୂମିର ମୁକ୍ତି ଲାଗି ତାଙ୍କର ଆତ୍ମୋତ୍ସର୍ଗ ପ୍ରକୃତରେ ବୀରତ୍ୱର ପରିଚୟ ଦେଇଥାଏ । ତେବେ ଅଚାନକ ନେତାଜୀ ଦୃଶ୍ୟପଟ୍ଟରୁ ଅନ୍ତର୍ଦ୍ଧାନ ହୋଇ ନିଖୋଜ ହୋଇଯିବା ଘଟଣା ଆଜି ମଧ୍ୟ ରହସ୍ୟାବୃତ ହୋଇ ରହିଛି ।

କଟକ ଓଡ଼ିଆ ବଜାରରେ ନେତାଜୀଙ୍କ ଜନ୍ମ:

କଟକ ସହରର ବିଶିଷ୍ଟ ଆଇନଜୀବୀ ଜାନକୀନାଥ ବୋଷଙ୍କ ପୁତ୍ର ସୁଭାଷ ୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ କଟକ ଓଡ଼ିଆ ବଜାରରେ ଜନ୍ମଗ୍ରହଣ କରିଥିଲେ । ମାତ୍ର ୧୫ ବର୍ଷ ବୟସରେ ସେ ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ଦ୍ୱାରା ଅନୁପ୍ରାଣୀତ ହୋଇ ନିଜକୁ ସଠିକ୍ ମାର୍ଗରେ ପରିଚାଳିତ କରିଥିଲେ । ବିଶ୍ୱାସ ଓ ଶକ୍ତି ମାଧ୍ୟମରେ ପରାଧୀନ ଭାରତର ମୁକ୍ତି ସମ୍ଭବ ବୋଲି ନେତାଜୀ କହୁଥିଲେ । ୧୯୨୦ ମସିହାରେ ସୁଭାଷ ଆଇ.ସି.ଏସ. ପରୀକ୍ଷାରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇ ସିଭିଲ୍ ସର୍ଭିସରେ ଯୋଗଦାନ କଲେ । ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ହେଉଥିବା ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗଦେବାକୁ ନେତାଜୀ ୧୯୨୧ ମସିହାରେ ଉଚ୍ଚ ସରକାରୀ ପଦବୀରୁ ଇସ୍ତଫା ପ୍ରଦାନ କଲେ । ସେହିବର୍ଷ ସେ ମହାତ୍ମା ଗାନ୍ଧୀଙ୍କ ନିକଟକୁ ଆସି ତାଙ୍କୁ ପ୍ରଥମଥର ସାକ୍ଷାତ କରିଥିଲେ ।

ନେତାଜୀ ଅଧ୍ୟୟନ କରୁଥିବା ବେଳେ ଶ୍ରୀଅରବିନ୍ଦଙ୍କ ଯୋଗ ତତ୍ୱ ତାଙ୍କୁ ବେଶ୍ ଆକୃଷ୍ଟ କରିପାରିଥିଲା । ବଙ୍ଗଳାରେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଓ ଚିତ୍ତରଞ୍ଜନ ଦାଶଙ୍କ ସହିତ ତାଙ୍କର ମଧ୍ୟ ସାକ୍ଷାତ ହୋଇଥିଲା । ୧୯୨୪ରେ ନେତାଜୀ କଂଗ୍ରେସ ଦଳର ସଦସ୍ୟ ଭାବେ ନିର୍ବାଚିତ ହୋଇ ନିଖିଳ ଭାରତ କଂଗ୍ରେସ ଅଧିବେଶନରେ ସକ୍ରିୟ ଯୋଗଦାନ କରିଥିଲେ । ନେତାଜୀ ‘ଲିବର୍ଟି’ ନାମକ ଏକ ସମ୍ବାଦପତ୍ର ପ୍ରକାଶିତ କଲେ । ୧୯୩୨ ମସିହାରେ ତାଙ୍କୁ ବ୍ରିିଟିଶ୍ ସରକାର ଗିରଫ କରି ଜେଲରେ ରଖିଲେ । ୧୯୩୩ ମସିହାରେ ନେତାଜୀ ୟୁରୋପ ଗସ୍ତ କଲେ । ରୋଗଗ୍ରସ୍ତ ହୋଇଥିବା ଯୋଗୁଁ ସେ ଭିଏନାରେ ଚିକିତ୍ସିତ ହେଲେ । ୧୯୩୮ ମସିହାରେ ନେତାଜୀ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ୧୯୩୯ରେ ନେତାଜୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ପ୍ରଦାନ କରିଥିଲେ ।

ନେତାଜୀଙ୍କ ଆଜାଦ୍ ହିନ୍ଦ୍ ଫୌଜ ଗଠନ:

ନେତାଜୀ ସୁଭାଷ ବୋଷ ୧୯୪୧ ଜାନୁଆରୀରେ ପେଶୱାର ପହଞ୍ଚି ପରେ ମସ୍କୋରେ ପହଞ୍ଚିଲେ । ଏପ୍ରିଲ ମାସରେ ବର୍ଲିନ୍ ପହଞ୍ଚି ଜର୍ମାନୀ ଶାସକ ହିଟଲରଙ୍କୁ ସାକ୍ଷାତ କରିଥିଲେ ନେତାଜୀ । ଜର୍ମାନୀରେ ହିଁ ସେ ‘ଆଜାଦ ହିନ୍ଦ ଫୌଜ’ ଗଠନ କଲେ । ୧୯୪୩ ମସିହାରେ ନେତାଜୀ ଜାପାନର ଟୋକିଓଠାରେ ପହଞ୍ଚିଲେ । ସେହିବର୍ଷ ଜୁଲାଇ ୫ ତାରିଖରେ ସିଙ୍ଗାପୁରଠାରେ ‘ଆଜାଦ ହିନ୍ଦ ଫୌଜ’ର ଏକ ବିରାଟ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା । ଅକ୍ଟୋବର ୨୧ ତାରିଖରେ ନେତାଜୀ ଅସ୍ଥାୟୀ ଆଜାଦ୍ ହିନ୍ଦ୍ ସରକାର ଗଠନ କରିଥିଲେ । ୧୯୪୪ ମସିହା ଫେବୃଆରୀ ୪ ତାରିଖରେ ‘ଆଜାଦ ହିନ୍ଦ ଫୌଜ’ ଓ ବ୍ରିଟିଶ୍ ସୈନ୍ୟବାହିନୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ୧୯୪୫ରେ ନେତାଜୀ ସିଙ୍ଗାପୁରରୁ ବ୍ୟାଙ୍କକକ୍ ଓ ତାପରେ ରେଙ୍ଗୁନରେ ଯାଇ ପହଞ୍ଚିଲେ ।

ତେବେ କୁହାଯାଏ ୧୯୪୫ ମସିହା ଅଗଷ୍ଟ ୧୮ ତାରିଖରେ ସିଙ୍ଗାପୁରରୁ ଟୋକିଓ ଅଭିମୁଖେ ଯାତ୍ରା କରିବା ସମୟରେ ସୁଭାଷଙ୍କ ଉଡ଼ାଯାହାଜ ଫରଗୋଜାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେ ମୃତ ବୋଲି ଟୋକିଓ ବେତାର କେନ୍ଦ୍ର ମଧ୍ୟ ଘୋଷଣା କରିଥିଲେ । ଏହାର ସତ୍ୟାସତ୍ୟ ଆଜି ପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

ରହସ୍ୟାବୃତ୍ତରେ ନେତାଜୀଙ୍କ ମୃତ୍ୟୁ:

ଆଜି ମଧ୍ୟ ନେତାଜୀଙ୍କ ମୃତ୍ୟୁ ରହସ୍ୟାବୃତ ହୋଇ ରହିଛି । ନେତାଜୀଙ୍କ ବିରତ୍ୱ ଓ ସାହସୀକତା ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିବ । ନେତାଜୀଙ୍କ ‘ଆଜାଦ ହିନ୍ଦ ଫୌଜ’ ଭାରତୀୟ ସୀମା ଅତିକ୍ରମ କରି ନାଗାଲାଣ୍ଡର କୋହିମାରେ ପ୍ରବେଶ କଲେ ଏବଂ ଦଖଲ ମଧ୍ୟ କଲେ । ତାପରେ ମଣିପୁର ରାଜଧାନୀ ଇମ୍ଫାଲରେ ପ୍ରବେଶ କରି ‘ଆଜାଦ ହିନ୍ଦ ଫୌଜ’ ମଣିପୁରକୁ ଘେରାଉ କରି ଭାରତୀୟ ଜାତୀୟ ପତାକା ଉଡ଼ାଇଥିଲେ । ଏହି ସମୟରେ ଜାପାନୀସୈନ୍ୟ ଇଂରେଜଙ୍କ ଦ୍ୱାରା ପରାସ୍ତ ହେଲେ । ଆଉ ସୁଭାଷ ଜାପାନୀ ସୈନ୍ୟଙ୍କ ସାହାଯ୍ୟ ପାଇପାରିଲେ ନାହିଁ । ୧୯୪୫ ମସିହାରେ ନେତାଜୀଙ୍କ ମୃତ୍ୟୁ ହୋଇଥିବା ଅନେକ କହୁଥିବା ବେଳେ ଏହାର ପ୍ରକୃତ ରହସ୍ୟ ଜାଣିବା ଲାଗି ୧୯୯୮ରେ କଲିକତା ହାଇକୋର୍ଟର ନିର୍ଦ୍ଦେଶ ଅନୁସାରେ ୧୯୯୯ ମେ ୧୪ରେ ଗଠିତ ହେଲା ମୁଖାର୍ଜୀ କମିଶନ । ଏହାର ଫାଇନାଲ୍ ରିପୋର୍ଟ ସରକାରଙ୍କ ନିକଟରେ ପୈଠ ହେଲା । ତଥାପି ଆଜି ଏହାର ସତ୍ୟାସତ୍ୟ ଜଣାନପଡ଼ି ନେତାଜୀଙ୍କ ନିଖୋଜ ଘଟଣା ରହସ୍ୟାବୃତ ହୋଇରହିଛି ।

ନେତାଜୀ ସଭାଷ ଚନ୍ଦ୍ର ବୋଷ ଥିଲେ ପୂର୍ବ ଦିଗବଳୟର ଉଦୟଗାମୀ ସୂର୍ଯ୍ୟ ସଦୃଶ । ବର୍ତ୍ତମାନର ଯୁବପିଢି ନେତାଜୀଙ୍କ ଅଦମ୍ୟ ସାହସିକତା ତଥା ଦେଶଭକ୍ତିରୁ ପ୍ରେରଣା ପାଇ ଏକ ସମୃଦ୍ଧ ଭାରତ ଗଠନ ନିର୍ମାଣ କରିବାକୁ ଆଗେଇ ଆସିବା ଉଚିତ । ନେତାଜୀଙ୍କ ମାତୃଭୂମି ପ୍ରତି ରହିଥିବା ଭକ୍ତି ଓ ତାଙ୍କର ଅଦମ୍ୟ ସାହସିକତା ସମଗ୍ର ବିଶ୍ୱରେ ଚିର ସ୍ମରଣୀୟ ହୋଇ ରହିଥିବ ।

Leave A Reply

Your email address will not be published.