ପୁରୀ: ମକର ସଂକ୍ରାନ୍ତି ଉପଲକ୍ଷେ ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି। ଏହାର ପୂର୍ବଦିନ ଅର୍ଥାତ ଆଜି ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବାଙ୍କ ବେଶ ସହ ଚାଉଳ ମେଳାଣ ଓ ଫୁଲ ମେଳାଣ ଉତ୍ସବ ଅନୁଷ୍ଠିତ ହେବ । ଆଜି ମଧ୍ୟ ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ପହିଲିଭୋଗର ଅନ୍ତିମ ଦିବସ।
ସନ୍ଧ୍ୟା ଆଳତି ବେଶରେ ମାଳଚୂଳ ମାନ ଖୁଣ୍ଟିଆ ଓ ପୁଷ୍ପାଳକ ସେବକଙ୍କ ସହାୟତାରେ ଠାକୁର ମାନଙ୍କୁ ଲାଗି କରାଯାଇଥାଏ। ଆଜି ବଡ଼ସିଂହାର ବେଶରେ ସୋଲ, ଜରି, କଇଁଥ ଅଠାରେ ପ୍ରସ୍ତୁତ ଶଙ୍ଖ, ଚକ୍ର, ହଳ, ମୁଷଳ, କୁଣ୍ଡଳ ଇତ୍ୟାଦି ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଲାଗି କରାଯାଇଥାଏ। ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଯଥାକ୍ରମେ ସୋଲ ନିର୍ମିତ ମକର କୁଣ୍ଡଳ ଓ ଶଙ୍ଖ, ଚକ୍ର, ହଳ, ମୁଷଳ ଇତ୍ୟାଦି ଧାରଣ କରିଥାନ୍ତି। ଏହି ବେଶ ନବାଙ୍କ ବେଶ ରୂପେ ପରିଚିତ । ନବାଙ୍କ ବେଶରେ ଠାକୁର ମାନଙ୍କ ଶିରରୁ ରତ୍ନସିଂହାସନ ଚଟାଣ ଯାଏଁ ଗେଣ୍ଡୁଫୁଲର ମାଳରେ ସୁସଜ୍ଜିତ କରାଯାଏ ।
ବଡ଼ସିଂହାର ବେଶରେ ଦେବତା ମାନଙ୍କୁ ଅଳଙ୍କୃତ କରୁଥିବା ଚିତା, ଗୁଣା, କରପଲ୍ଲବ, ଅଧରମାଳା ଓ ଶ୍ରୀପୟର ମାଳା ମଧ୍ୟ ଗେଣ୍ଡୁ ଫୁଲରେ ନିର୍ମିତ ହୋଇଥାଏ। ହୃଦ ପଦକରେ ଗେଣ୍ଡୁ ଫୁଲ ସହିତ ଗୋଲାପ ଫୁଲର ସମ୍ମିଶ୍ରଣ ଘଟିଥାଏ। ଆଉ ଏ ବେଶ ପାଇଁ ଗେଣ୍ଡୁଫୁଲର ମାଳାକୁ ପ୍ରସ୍ତୁତ କରିଥାନ୍ତି ବଡ ଓଡିଆ ମଠର ମହନ୍ତ ଓ ତାଙ୍କ ଶିଷ୍ୟମାନେ। କାହିଁ କେଉଁ ଅନାଦି କାଳରୁ ବଡ ଓଡ଼ିଆ ମଠ ମହାପ୍ରଭୁଙ୍କ ନବାଙ୍କ ବେଶ ପାଇଁ ଏହି ମାଳ ଯୋଗାଇଥାନ୍ତି। ହଜାରହଜାର ଗେଣ୍ଡୁଫୁଲ, କୁସୁମ ଫୁଲ ଓ ତୁଳସୀରେ ପ୍ରସ୍ତୁତ ଏହି ମାଳାକୁ ବଡ ଓଡ଼ିଆ ମଠ ତରଫରୁ ଶ୍ରୀମନ୍ଦିରକୁ ପ୍ରଦାନ କରାଯାଇଥାଏ।
ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ୧୬ ହାତ ଲମ୍ବର ମାଳ, ବଡଭାଇ ବଳଭଦ୍ରଙ୍କ ପାଇଁ ୧୪ ହାତ ଓ ଭଉଣୀ ସୁଭଦ୍ରାଙ୍କ ପାଇଁ ୧୨ ହାତ ଲମ୍ବର ମାଳ ଶ୍ରୀମନ୍ଦିରକୁ ବଡ ଓଡ଼ିଆ ମଠ ତରଫରୁ ପ୍ରଦାନ କରାଯାଇଥାଏ।