ଭୁବନେଶ୍ୱର: ଓଡିଶାର ହକି ଖେଳାଳିଙ୍କ ପ୍ରଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ଜ୍ୱଳନ୍ତ ଉଦାହରଣ ହେଲା ହକି ଇଣ୍ଡିଆ ଲିଗର ସଦ୍ୟ ସଂସ୍କରଣ । ୨୦୧୩ରେ ଏହି ଲିଗ ଆରମ୍ଭ ହୋଇଥିଲା । ସେତେବେଳେ ୬ଜଣ ଓଡିଶା ଖେଳାଳି ଏଥିରେ ଖେଳିବା ପାଇଁ ସୁଯୋଗ ପାଇଥିଲେ । ସେମାନେ ହେଲେ ଅମିତ ରୋହୀଦାସ(ରାଂଚୀ ରାଇନୋସ), ଷ୍ଟାନିଲ ମିଞ୍ଜ(ରାଂଚୀ ରାଇନୋସ), ଅରବିନ୍ଦ କୁଜୁର(ରାଂଚୀ ରାଇନୋସ), ସୁଶାନ୍ତ ତିର୍କି(ରାଂଚୀ ରାଇନେସ), ସୁରେଶ ଟପ୍ପୋ(ୟୁପି ୱିଜାର୍ଡ୍ସ) ଓ ବୀରେନ୍ଦ୍ର ଲାକ୍ରା(ରାଂଚୀ ରାଇନୋସ) ।
୧୩ ବର୍ଷ ପରେ ଏହି ସଂଖ୍ୟା ଏବେ ୧୬ରେ ପଂହଚିଛି । ଯାହାକି ନିଶ୍ଚିତ ଭାବେ ଏକ ଆନନ୍ଦର ବିଷୟ । ଏଠାରେ କୋଟା କିମ୍ବା ଅନ୍ୟ କୌଣସି କାରଣ ପାଇଁ ଓଡିଶା ଖେଳାଳିଙ୍କୁ ଫ୍ରାଂଚାଇଜର ମାନେ ଦଳରେ ନେଉ ନାହାନ୍ତି । ସେମାନେ ନିଜ ପ୍ରଦର୍ଶନ ଓ ଦକ୍ଷତା ବଳରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ଏଥର ତାମିଲନାଡୁ ଡ୍ରାଗନ୍ସ ପକ୍ଷରୁ ଅମିତ ରୋହୀଦାସ, ଆନନ୍ଦ ଲାକ୍ରା, ଅଦ୍ରୋହିତ ଏକ୍କା ଓ ସୁଶୀଲ ଧନୱାର ଓ ଏଚଆଇଏଲ ଜିସିରୁ ପ୍ରଶାନ୍ତ ବାର୍ଲା, ସୁଦୀପ ଚିରାମୋକୋ ଖେଳୁଛନ୍ତି ।
ସେହିପରି ହାଇଦ୍ରାବାଦ ତୁଫାନ୍ସରୁ ଅମନଦୀପ ଲାକ୍ରା, ଶୀଲାନନ୍ଦ ଲାକ୍ରା, ରାଂଚୀ ରୟାଲ୍ସରୁ ଅନମୋଲ ଏକ୍କା, ନୀଲମ ସଞ୍ଜୀପ ଖେସ, ଶ୍ରାଚୀ ବେଙ୍ଗଲ ଟାଇଗର୍ସରୁ ବିବେକ ଲାକ୍ରା, ବେଦାନ୍ତ କଳିଙ୍ଗ ଲାନ୍ସର୍ସରୁ ରୋହିତ କୁଲୁ, ରୋଶନ କୁଜୁର, ଦୀପକ ପ୍ରଧାନ, ଦୀପଶାନ ତିର୍କୀ ଓ ପ୍ରତାପ ଲାକ୍ରା ଖେଳୁଛନ୍ତି । ଡିଫେଣ୍ଡର,ମିଡଫିଲ୍ଡର ଓ ଫରୱାର୍ଡ ସବୁ ବିଭାଗରେ ଓଡିଶା ଖେଳାଳି ବାଜି ମାରୁଛନ୍ତି । ଅମିତ ରୋହୀଦାସ ଏହି ଲିଗ ଆରମ୍ଭରୁ ସମସ୍ତ ସଂସ୍କରଣରେ ଖେଳି ଆସୁଛନ୍ତି ।
ଓଡିଶା ସରକାର ହକିର ତୃଣମୂଳ ସ୍ତରରୁ ବିକାଶ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ଆସୁଛନ୍ତି । ଏବେ ଏହି ପରିଶ୍ରମର ଫଳ ସମ୍ମୁଖକୁ ଆସିବାରେ ଲାଗିଛି । ସୁନ୍ଦରଗଡର ସିମଡେଗା ଗ୍ରାମରେ ହକି ଆଉ ଖେଳ ହୋଇ ରହିନି । ଏହା ଏକ ପାଗଳାମୀ ପାଲଟି ଯାଇଛି । କଳିଙ୍ଗ ଷ୍ଟାଡିୟମରେ ହକି ଲିଗକୁ ଦେଖିବା ପାଇଁ ଦର୍ଶକ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ହକିର ବିକାଶରେ ଏବେ ଓଡିଶା ଖେଳାଳି ଟ୍ରମ୍ପ କାର୍ଡ ସାଜିଛନ୍ତି । ଆଗକୁ ଏହି ଧାରା ବଳବତର ରହିବ ବୋଲି ଆଶା କରାଯାଉଛି ।