ଭୁବନେଶ୍ୱର: ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ‘ସଡ଼କ ସୁରକ୍ଷା ସଚେତନତା ମାସ’ ଆରମ୍ଭ ହୋଇଛି। ଏହି ଅବସରରେ ଜାନୁଆରୀ ୨୩, ୨୦୨୬ ତାରିଖରେ ଭୁବନେଶ୍ୱର ପ୍ରେସ୍ କ୍ଲବ୍ରେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟର ବରିଷ୍ଠ ଡାକ୍ତର, ପ୍ରଶାସନିକ ଅଧିକାରୀ, ଆପାତକାଳୀନ ସେବାକର୍ମୀ ଏବଂ ମିଡିଆ ପ୍ରତିନିଧିମାନେ ଯୋଗଦେଇ ଓଡ଼ିଶାରେ ବଢ଼ୁଥିବା ସଡ଼କ ଦୁର୍ଘଟଣା ସମସ୍ୟା ଉପରେ ବିସ୍ତୃତଭାବେ ଆଲୋଚନା କରିଥିଲେ।
ସରକାରୀ ନିୟମ, ଟ୍ରମା ଚିକିତ୍ସା ସୁବିଧା ଉନ୍ନତ ହେଲେ ମଧ୍ୟ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା କମୁନାହିଁ। ପରିବହନ ବିଭାଗ ତଥ୍ୟ ଅନୁଯାୟୀ, ଗତ ୫ ବର୍ଷରେ ଓଡ଼ିଶାରେ ୫୬,୮୩୧ଟି ସଡ଼କ ଦୁର୍ଘଟଣାରେ ୨୭,୧୬୭ ଜଣଙ୍କ ମୃତ୍ୟୁ ଏବଂ ୫୦,୦୪୧ ଜଣ ଆହତ ହୋଇଛନ୍ତି। ରାଜ୍ୟର ଦୁର୍ଘଟଣା ଗୁରୁତ୍ୱ ହାର ୪୯.୬ ପ୍ରତିଶତ ରହିଛି, ଯାହା ଜାତୀୟ ହାର ଠାରୁ ୩୭ ପ୍ରତିଶତଠାରୁ ଅଧିକ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅମିତାଭ ଠାକୁର, ଆଇପିଏସ୍, ପରିବହନ କମିଶନର ଓ ରାଜ୍ୟ ପରିବହନ ପ୍ରାଧିକରଣ ((STA) ଅଧ୍ୟକ୍ଷ ଶ୍ରୀ ଅମିତାଭ ଠାକୁର, (ଆଇ.ପି.ଏସ୍), ଅଗ୍ନିଶମ ଓ ଆପାତକାଳୀନ ସେବାର ମହାନିରୀକ୍ଷକ ଡକ୍ଟର ଉମାଶଙ୍କର ଦାଶ (ଆଇପିଏସ୍), ଓଡ଼ିଶା ମହିଳା ମିଡିଆ (OWM) ର ଅଧ୍ୟକ୍ଷ ଉପସ୍ଥିତ କସ୍ତୁରୀ ରାୟ, ମଣିପାଲ୍ ହସ୍ପିଟାଲ୍ର କ୍ଲଷ୍ଟର ନିର୍ଦ୍ଦେଶକ ଡାକ୍ତର ଶକ୍ତିମୟ ମହାପାତ୍ରଙ୍କ ସମେତ ଅନେକ କାର୍ଯ୍ୟକାରୀ ସାମ୍ବାଦିକ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମଟି ଏହି ଅତିଥିଙ୍କ ଉପସ୍ଥିତିରେ ଦୀପ ପ୍ରଜ୍ୱଳନ ସହିତ ଶୁଭାରମ୍ଭ ହେଲା ଏହି ଅବସରରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭୁବନେଶ୍ୱରର ବରିଷ୍ଠ ସାମ୍ବାଦିକା ସ୍ୱର୍ଗତା ଶୀଲା ପଟ୍ଟନାୟକଙ୍କ ସ୍ମୃତିରେ ଗୋଟିଏ ମିନିଟ୍ ନୀରବତା ପାଳନ କରାଯାଇଥିଲା। ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ବରିଷ୍ଠ ସ୍ନାୟୁ ଶଲ୍ୟ ଚିକିତ୍ସକ ତଥା ନ୍ୟୁରୋ ସର୍ଜରୀ ବିଭାଗର ନିର୍ଦ୍ଦେଶକ ଡାକ୍ତର ଅମିତ୍ ଜୟସୱାଲ୍ କହିଥିଲେ ଯେ, ସଡ଼କ ଦୁର୍ଘଟଣାରେ ମୁଣ୍ଡ ଓ ମେରୁଦଣ୍ଡ ଆଘାତ ମୃତ୍ୟୁ ଓ ସ୍ଥାୟୀ ଅକ୍ଷମତାର ପ୍ରମୁଖ କାରଣ। ସେ ହେଲମେଟ୍ ବ୍ୟବହାର ଏବଂ ସମୟରେ ସଠିକ୍ ଚିକିତ୍ସା ମିଳିଲେ ଜୀବନ ରକ୍ଷା ସମ୍ଭବ ବୋଲି କହିଥିଲେ।
ସେହିଭଳି ମଣିପାଲ ହସ୍ପିଟାଲ ଭୁବନେଶ୍ୱର ସ୍ନାୟୁ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଦ୍ୟୁତ ରଞ୍ଜନ ଭୂୟାଁ କହିଥିଲେ ଯେ, ଦୁର୍ଘଟଣା ପରେ ତୁରନ୍ତ ସ୍ନାୟୁ ପରୀକ୍ଷା ଅତ୍ୟନ୍ତ ଜରୁରୀ, ଯାହା ଭବିଷ୍ୟତରେ ଗୁରୁତର ସମସ୍ୟାକୁ ରୋକିପାରିବ। ମଣିପାଲ ହସ୍ପିଟାଲର ଆପାତକାଳୀନ ଚିକିତ୍ସା ବିଭାଗ ମୁଖ୍ୟ ଡାକ୍ତର ଅଭିଷେକ ଚାଟର୍ଜୀ, ‘ଗୋଲ୍ଡେନ୍ ଆୱର’ର ଗୁରୁତ୍ୱ ଉପରେ ଜୋର ଦେଇ କହିଥିଲେ ଯେ, ଘଟଣାସ୍ଥଳରେ ତୁରନ୍ତ ସହାୟତା, ଆମ୍ବୁଲାନ୍ସ ସେବା ଏବଂ ପ୍ରାଥମିକ ଚିକିତ୍ସା ଜ୍ଞାନ ଅନେକ ଆହାତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇପାରିବ। ଓଡ଼ିଶା ମହିଳା ମିଡିଆ ର ଅଧ୍ୟକ୍ଷ ଶ୍ରୀମତୀ କସ୍ତୁରୀ ରାୟ କହିଥିଲେ ଯେ, ସମାଜରେ ସଠିକ୍ ସଚେତନତା ସୃଷ୍ଟି ପାଇଁ ମିଡିଆର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ମୁଖ୍ୟ ଅତିଥି ଅମିତାଭ ଠାକୁର କହିଥିଲେ, “ସଡ଼କ ସୁରକ୍ଷା ମାସ ପରିବହନ ନିୟମ, କଡ଼ା ନିୟନ୍ତ୍ରଣ ଏବଂ ନୀତି ସହ ସିଧାସଳଖ ଭାବେ ଜଡ଼ିତ। ନିୟମ ପାଳନ, ଉତ୍ତମ ସଡ଼କ ବ୍ୟବସ୍ଥା ଏବଂ ସାଧାରଣ ଲୋକଙ୍କ ସହଭାଗୀତା ଦ୍ୱାରା ଦୁର୍ଘଟଣା କମିପାରିବ।”
ଡକ୍ଟର. ଉମାଶଙ୍କର ଦାଶ କହିଥିଲେ ଯେ, ପ୍ରତ୍ୟେକ ଦୁର୍ଘଟଣା ସ୍ଥଳରେ ତୁରନ୍ତ ଉଦ୍ଧାର କାର୍ଯ୍ୟ, ପ୍ରଶିକ୍ଷିତ କର୍ମୀ ଏବଂ ସ୍ପଷ୍ଟ ପ୍ରତିକ୍ରିୟା ବ୍ୟବସ୍ଥା ଜୀବନ ରକ୍ଷାରେ ଗୁରୁତ୍ୱପୂର୍ଣ୍ଣ। ମଣିପାଲ୍ ହସ୍ପିଟାଲ୍ର କ୍ଲଷ୍ଟର ନିର୍ଦ୍ଦେଶକ ଡାକ୍ତର ଶକ୍ତିମୟ ମହାପାତ୍ର କହିଥିଲେ ଯେ, ସଡ଼କ ସୁରକ୍ଷା କେବଳ ଆଇନର ବିଷୟ ନୁହେଁ, ଏହା ଜନସ୍ୱାସ୍ଥ୍ୟ ସହ ସଂପୃକ୍ତ। ହସ୍ପିଟାଲ୍, ପ୍ରଶାସନ, ଆପାତକାଳୀନ ସେବା ଓ ମିଡିଆ ମିଶି କାମ କଲେ ସଡ଼କ ଦୁର୍ଘଟଣା ପରେ ଅନେକ ମୃତ୍ୟୁ ରୋକା ଯାଇପାରିବ। ସଡ଼କ ସୁରକ୍ଷା ସଚେତନତା ମାସ ଅବସରରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମଣିପାଲ୍ ହସ୍ପିଟାଲ୍ ଭୁବନେଶ୍ୱର ସଡ଼କ ସୁରକ୍ଷା ସଚେତନତା, ଆପାତକାଳୀନ ଚିକିତ୍ସା ଏବଂ ମିଡିଆ ଓ ପ୍ରଶାସନ ସହ ମିଳିତ କାର୍ଯ୍ୟ ପ୍ରତି ନିଜ ପ୍ରତିବଦ୍ଧତା ପୁନର୍ବ୍ୟକ୍ତ କରିଛି।