Latest Odisha News

BREAKING NEWS

ମୁକ୍ତି ସଂଗ୍ରାମରେ ବୀର ଓଡ଼ିଆ ପାଇକଙ୍କ ବୀରତ୍ୱର କାହାଣୀ…

ଭୁବନେଶ୍ୱର: କାଳେ କାଳେ ଦେଶ ଓ ମାତୃ୍ମଭୁମୀର ରକ୍ଷା ପାଇଁ ଯେଉଁ ମହୀୟାନ ବୀରପୁରୁଷମାନେ ସମୟପଯୋଗୀ ଉଦ୍ୟମ, ଜୀବନବ୍ୟାପୀ ସଂଗ୍ରାମ କରି ନିଜକୁ ଶେଷ କରିଦେଇଛଛି, ସେମାନଙ୍କ ମଧ୍ୟରେ ଓଡିଆ ପାଇକ ଅର୍ଥାତ କ୍ଷତ୍ରୀୟ ଜାତି ଅନ୍ୟତମ । ଦେଶ ସ୍ୱାଧୀନତା ପାଇଁ କ୍ଷତ୍ରୀୟ ମାନଙ୍କର ସର୍ବୋତ୍କୃଷ୍ଟ ନମୁନା, ବିସ୍ତୃତ ସହାନୁଭୂତି ଓ କର୍ମସାଧନାରୁ ସେମାନଙ୍କ ମଧ୍ୟରେ ଥିବା ଉତ୍କଳୀୟତା, ଜାତୀୟତା, ବିଶ୍ୱଭାବୁକତା ଭାବଧାରାକୁ ବେଶ୍ ଅନୁଭବ କରିହୁଏ । ଯଦିଓ ମୋଗଲ୍ ଶାସନ ସମୟରେ ଓଡିଶାବାସୀଙ୍କୁ ଅନେକ ଦୁଃଖକଷ୍ଟ ସହିବାକୁ ପଡିଥିଲା, ତଥାପି ଭାରତବର୍ଷର ଶେଷ ରାଜ୍ୟ ଓଡିଶା, ଯିଏ କି କୈାଣସି ଅବସ୍ଥାରେ ପରାଧୀନତ୍ୱ ସ୍ୱୀକାର କରିବାକୁ ପ୍ରସ୍ତୁତ ନଥିଲା । ଅବିରତ ଲଢେଇ ଚାଲୁ ରଖି ଆସୁଥିବା ରାଜ୍ୟ ସର୍ବଶେଷରେ ବ୍ରଟିଶ୍‌ସାମ୍ରାଜ୍ୟର ଅଧିନକୁ ଆସିଥିଲା । ଦେଖିବାକୁ ଗଲେ କ୍ଷତ୍ରୀୟ ମାନେ ହେଉଛନ୍ତି ‘‘ ବୀର ଓ ଲଢୁଆ” । ବିଶେଷ କରି ଓଡିଆ ପାଇକମାନେ ଥିଲେ ସୁଶିକ୍ଷିତ ସଶସ୍ତ୍ର ସେନାବହିନୀ । ସେମାନଙ୍କ ରଣ କୈାଶଳ ଥିଲା ସତନ୍ତ୍ର ଓ ସୁଚିନ୍ତିତ । ବିଟିଶ୍ ସେନାକୁ ପ୍ରତିହତ କରିବାରେ ଓଡିଆ ବୀର ପୁରୁଷମାନଙ୍କ ଯୁଦ୍ଧପ୍ରକ୍ରୀୟା ଯେତିକି ବିସ୍ମୟଜନକ , ସେତିକି ମର୍ମସ୍ପର୍ଷୀ ଥିଲା । ଖାଲି ସେତିକି ନୁହେଁ, ସ୍ୱାଧୀନତା ସଂଗ୍ରାମର ପ୍ରତ୍ୟେକ ପର୍ଯ୍ୟାୟରେ ଓଡିଶାର ଆଦିବାସୀ ସଂପ୍ରଦାୟ ମଧ୍ୟ ନିଜର ଦେଶପ୍ରେମ ଓ ଜାତୀୟତାବାଦର ପରିଚୟ ଦେବାକୁ ପଛେଇ ନଥିଲେ ।

୧୮୦୩ ମସିହାରେ ଆମ ରାଜ୍ୟ ଓଡିଶା ବ୍ରଟିିଶ୍ ସରକାରଙ୍କ ଅଧିନକୁ ଆସିଥିଲା । ସର୍ବ ପ୍ରଥମେ ଖୋର୍ଦ୍ଧାଗଡ ବାଣପୁରରୁ ବ୍ରିଟିଶ ଇଷ୍ଟ୍‌ଇଣ୍ଡିଆ କମ୍ପାନୀ ବିରୋଦ୍ଧରେ ପ୍ରତିବାଦ ଆରମ୍ଭ ହୋଇଥିଲା । ଖୋର୍ଦ୍ଧାଗଡର ରାଜା ଦ୍ୱିତୀୟ- ମୁକୁନ୍ଦଦେବ ଏହାର ନେତୃତ୍ୱ ନେଇଥିଲେ । ରାଜାଙ୍କର ଉପଦେଷ୍ଟା ଓ ସହଯୋଗୀ ଜୟୀ ରାଜଗୁରୁ ଏହି ସଂଗ୍ରାମରେ ପ୍ରମୂୂଖ ଭୁମିକା ଗ୍ରହଣ କରିଥିଲେ । ବ୍ରିଟିଶ ଇଷ୍ଟ୍‌ଇଣ୍ଡିଆ କମ୍ପାନୀର ଜବରଦଖଲ ଓ କୃଷକ ମାନଙ୍କ ଉପରେ ବେଆଇନ ଟିକସ ବୋଝ ପ୍ରତ୍ୟାହାର ପାଇଁ ଦାବୀ କରାଯାଇଥିଲା । ତତ୍‌କ୍ଷଣତା କଟକ, ପୁରୀ, ନୟାଗଡ,ପିପିଲି,କୁଜଙ୍ଗ,କନିକା ଈତ୍ୟାଦି ରାଜ୍ୟର ବିଭିନ୍ନ ସ୍ଥାନରେ ଫିରିଙ୍ଗ୍ ମାନଙ୍କ ବିରୋଦ୍ଧରେ ବିପ୍ଲବ ଆରମ୍ଭ ହୋଇଯାଇଥିଲା । ବିଦ୍ରୋହ ଏତେ ଶକ୍ତିଶାଳୀ ଥିଲା ଯେ, ବ୍ରଟିିଶ୍ ସେନା ଶକ୍ତ ଆଘାତ ପାଇ ଭୟଭୀତ ହୋଇଥିଲେ ।

ବ୍ରିଟିଶ୍ ସେନା ପାଇକମାନଙ୍କ ଶକ୍ତି ରଣକୈାଶଳ ଅନ୍ଦାଜ୍ କରି ନେଇଥିଲେ । ସେଥିପାଇଁ ସେମାନେ କୂଟନୀତିର ଆଶ୍ରୟ ନେଇଥିଲେ । ଯାହାର ଫଳସ୍ୱରୂପ ଜୟୀ ରାଜଗୁରୁଙ୍କୁ ବନ୍ଦୀ କରାଯାଇ ଅମାନୁଷିକ ଭାବରେ ୧୮୦୫ ମସିହାରେ ଫାଶି ଦିଆଯାଇଥିଲା । ଏଥିରେ ଓଡିଆମାନେ କଦାପି ଆତଙ୍କିତ ହୋଇ ନଥିଲେ । ଏହାର ଦୃଢ ମୁକାବିଲା କରିବା ପାଇଁ ସେଇ ସମୟରେ ଅନେକ ପାଇକ ଯୋଦ୍ଧା ରଣଭୂମୀକୁ ଆଗେଇ ଆସିଥିଲେ । ବିଦ୍ରୋହର ବହ୍ନି ଅତି ଉଗ୍ର ରୂପ ନେଇଥିଲା । ମାର୍ଚ୍ଚ ମାସ, ୧୮୧୭ ମସିହାରେ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ନେତୃତ୍ୱରେ ପାଇକ ବିଦ୍ରୋହ ଆରମ୍ଭ ହୋଇଥିଲା ।ପାଇକମାନଙ୍କ ସହିତ ଘୁମସାରର କନ୍ଧ, ଦଳେଇ, ଦଳବେହରା ଯୋଗଦାନ କରି ଏହି ବିଦ୍ରୋହକୁ ମଜବୁତ୍ କରିଥିଲେ । ତାର ସଠିକ୍ ଦଶ ବର୍ଷ ପରେ ତାପଙ୍ଗ ଦଳବେହରା ମାଧବ ଚନ୍ଦ୍ର ରାଉତରାୟ ନେତୃତ୍ୱରେ ଆଉ ଏକ ଆନ୍ଦୋଳନ ବ୍ରିଟିଶ୍ ସାମ୍ରାଜ୍ୟବାଦ ଦମନ ପାଇଁ ଖୁବ୍ ସକ୍ରୀୟ ଥିଲା । ରାଜା, ସାମନ୍ତ, ଜମିଦାର ଓ କୃଷକଙ୍କ ବ୍ୟତୀତ, ଓଡିଶାର ବିଭିନ୍ନ ଅଂଚଳରେ ରହିଆସୁଥିବା ଆଦିବାସୀ ସଂପ୍ରଦାୟର ସଂଗ୍ରାମୀମାନେ ଦୁର୍ଗମ ଅରଣ୍ୟାନୀ ଓ ପ୍ରତିବନ୍ଧକକୁ ଅତିକ୍ରମ କରି ବୀରତ୍ୱର ପରାକାଷ୍ଠା ପ୍ରଦର୍ଶନ କରିଥିଲେ ।

ଦେଖିବାକୁ ଗଲେ ପାଇକ ଆନ୍ଦୋଳନର ସଠିକ୍ ଚାଳିଶ ବର୍ଷ ପରେ ୧୮୫୭ ମସିହାରେ ସିପାହୀ ବିଦ୍ରୋହ ଆରମ୍ଭ ହୋଇଥିଲା । । ଅନେକଙ୍କ ମତରେ ୧୮୧୭ ମସିହା ଓଡିଶାର ପାଇକ ବିପ୍ଲବ ହେଉଛି ଭାରତର ପ୍ରଥମ ସ୍ୱାଧୀନତା ଆନ୍ଦୋଳନ । କେବଳ ଓଡିଶାରେ ନୁହେଁ, ପାଇକ ଆନ୍ଦୋଳନକୁ ଭାରତବର୍ଷର ପ୍ରଥମ ବ୍ରିଟିଶ୍ ସାମ୍ରାଜ୍ୟବାଦ ବିରେଧୀ ଆନ୍ଦୋଳନ ବୋଲି କୁହାଯାଏ । ପରବର୍ତୀ ସମୟରେ ଏହା ଦେଶବାସୀଙ୍କ ଜାତୀୟ ଜୀବନ ପାଇଁ ପ୍ରେରଣାର ଉତ୍ସ ପାଲଟିଥିଲା ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାନ ମାଦଳା ପାଞ୍ଜିରେ ଲେଖାଯାଇଛି -୨୧ ଅଙ୍କେ ମକରମ ଖାଁ ଅଇଲେ, ଧନୁ ୨୨ ଦିନେ ଖୁରୁଧା ଘେନିଲେ, ସାକ୍ଷୀଗୋପାଳଙ୍କୁ ଖୁଣ କଲେ, ପରମେଶ୍ୱର ଗୁରୁବାଇ ଠାରୁ ଯାଇ ବାଣପୁର ସୀମା ଗବପଦର ଠାରେ ନଈ ଭିତରେ ଚାପରେ ବିଜେ କଲେ । ଶୀତଳ ମଣୋହି କରୁଥିଲେ । ରାଜା ଯାଇ କୁଟୁମ୍ବେ ଘେନି ରଣପୁର ସୀମାନ୍ତ ଗ୍ରାମେ ମାଣିତ୍ରୀ ଗଡ଼ (ଗଡ଼ ମାଣିତ୍ରୀ) ଠାରେ କଟକ କରିଥିଲେ । ଏହା ହିଁ ମାଦଳା ପାଞ୍ଜିରେ ବର୍ଣ୍ଣିତ । ପୁରୁଷୋତମ ଦେବଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ନରସିଂହ ଦେବ ୧୬୨୨ ମସିହାରେ ସିଂହାସନରେ ବସିଲେ । ତାଙ୍କ ସମୟରେ ଓଡ଼ିଶା ସୁବେଦାର ଅହମ୍ମଦ ବେଗ୍ ଖୋରଧା ଆକ୍ରମଣ କଲେ । ରାଜା ନରସିଂହ ଦେବ ସପରିବାର ଗଡ଼ମାଣତୀର ଠାରେ ଅବସ୍ଥାନ କଲେ । ଏଣେ ମହମ୍ମଦ ବେଗ୍ ଶ୍ରୀମନ୍ଦିର ଆକ୍ରମଣ କରିବାରୁ ଶ୍ରୀମହାପଭୁ ଗଡ଼ ବା ଅନ୍ଧାରୀ ମହିମ ଠାରେ ଅବସ୍ଥାନ କରୁଥିଲେ । ଏହି ସ୍ଥାନଟି ଏକ ବଳିଷ୍ଠ ଦ୍ୱାର ସ୍ୱରୁପ । କାରଣ ଦକ୍ଷିଣ ଭାରତରୁ ଶ୍ରୀକ୍ଷେତ୍ରକୁ ପ୍ରବେଶ କରୁଥିବା ମାଣିକପୁର ଘାଟର ସୁରକ୍ଷା ଦାୟିତ୍ୱରେ ଥିଲା । ଅହମ୍ମଦ ବେଗ ପଠାଣ ଏହା ଜାଣିପାରି ଅନ୍ଧାରି ମହିମ ଆକ୍ରମଣ କରିବାକୁ ବାହାରିଲା । ଖବର ଏଠାରେ ପହଂଚିବା ମାତ୍ରେ ରାଜାଙ୍କ ଆଦେଶରେ ପାଇକମାନେ ସମୟର ସ୍ୱଳ୍ପତା ଦୃଷ୍ଟିରୁ ପ୍ରଭୁଙ୍କ ବ୍ରହ୍ମକୁ ଲୁଗାରେ ଗୁଡ଼ାଇ ମାଣିକ ପାଟଣା ଘାଟରୁ ଚିଲିକା ଭିତରକୁ ଯାଇ ଚାଲି ଯାଇଥିଲେ ।

ମାଦଳାପାଞ୍ଜି ଙ୍କ ମତରେ ରାତାରାତି ଚିଲିକା ଯାଇ ଉତରପଟ ସ୍ଥଳପଥକୁ ଛୁଇଁ ଗଡ଼ମାଣତୀର ଠାରେ ପହଂଚିଲେ । କେତେକ ଗବେଷକଙ୍କ ମତରେ ୨୬-୦୮-୧୬୨୩ ରେ ରାତାରାତି ଚିଲିକା ଯାଇ ଉତରପଟ ସ୍ଥଳପଥକୁ ଛୁଇଁ ଗଡ଼ମାଣତୀର ଠାରେ ପହଂଚିଲେ । କେତେକ ଗବେଷକଙ୍କ ମତରେ ଆମର ଅତି ପ୍ରିୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବ୍ରହ୍ମ ଗଡ଼ମାଣତୀର ଆସିଥିଲା ।

ଉତ୍କଳର ଆତ୍ମା ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ସମ୍ପୂର୍ଣ୍ଣ ସୁରକ୍ଷା ଦାୟିତ୍ୱ ସମର ବିଶାରଦ ବୀର ପାଇକ ବାହିନୀ ହସ୍ତରେ ନ୍ୟସ୍ତ କରାଯାଇଥିଲା । ପାଇକମାନେ ମହାପ୍ରଭୁଙ୍କୁ ଗଡ଼କରି ଜଗିଥିଲେ ତତଗଡ଼, ଉପରଗଡ଼ ଏବଂ ଗଡ଼ବାଡ଼ ର ଗଡ଼ ଗୁଡ଼ିକୁ । ତଳଗଡ଼ ଯୋଦ୍ଧା କୁଶଳୀ ପାଇକମାନଙ୍କର ଗଡ଼ । ଉପରଗଡ଼ରେ ଦୁର୍ଦ୍ଧଶ ବୀର ପାଇକ ବୀର ଜଗି ରହିଥିଲେ । ତୀରନ୍ଦାଜ ତଥା ଆକ୍ରମଣକାରୀ ବୀର ପାଇକମାନେ ଘରକୁ ଘେରିକରି ରଖିଥିଲେ । ଗଡ଼ବାଡ଼ ପାଇକମାନେ ପ୍ରବଳ ପରାକ୍ରମୀ ଓ ସାହସୀ ଥିଲେ । ସେମାନେ ଗଡ଼ର ବାଡ଼ ସଦୃଶ ଥିଲେ । ଏହି କ୍ଷେତ୍ରରେ ଯୋଡ଼ା ଆଷାଢ ବିନା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ହୋଇଥିଲା ୧୬୨୩ ମସିହାରେ । ଆମ ଓଡ଼ିଆଙ୍କ ପ୍ରାଣପ୍ରିୟ ଠାକୁର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରଥମ ନବକଳେବର ହୋଇଥିଲା ୧୫୬୮ ମସିହାରେ କୁଜଙ୍ଗ ଗଡ଼ରେ । ମାଦଳାପାଞ୍ଜି କହନ୍ତି ୧୬୨୪ ମସିହାରେ ଆମରି ଏହି ଗଡ଼ମାଣତୀର ଠାରେ ହିଁ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଛେରାପହଁରା ଗଜପତି ନରସିଂହଦେବ କରିଥିଲେ ।

ଏହାପରେ ଆମ ଠାକୁର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସହିତ ଚତୁର୍ଦ୍ଧା ମୁରତି ବିଗ୍ରହଙ୍କୁ ଜଗଡ଼ରେ ବିଜେ କରାଯାଇ ଖୋରଧାଗଡ଼ ଦେଇ ପୁରୁଣା ଜଗନ୍ନାଥ ସଡ଼କରେ ପଟ୍ଟାନାୟିକିଆ ଦେଇ ଶ୍ରୀକ୍ଷେତ୍ରକୁ ବିଜେ କରାଯାଇଥିଲା । ଏବେ ସେହି ସ୍ମୃତିକୁ ରୋମନ୍ଥନ କରୁଛି ପାଇକ ବଂଶଧର ଓ ଗଡ଼ମାଣତୀର ଗଡ଼ର । ଆମେ ମହାପ୍ରଭୁଙ୍କ ସହିତ ରହିଥିଲେ ତାଙ୍କର ସୁରକ୍ଷା ଲାଗି ଏବଂ ଏବେ ମଧ୍ୟ ଆମର ପ୍ରାଣପ୍ରିୟ ଠାକୁର ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ପାଇକ ନିଯୋଗ ନାମରେ ମଧ୍ୟ ସେବାରତ । ଧନ୍ୟ ମହାପ୍ରଭୁ ଧନ୍ୟ ତୋର ସେବକଙ୍କୁ । ମହାପ୍ରଭୁ ଆପଣଙ୍କ ନିର୍ଦ୍ଧେଶରେ ହିଁ ଆମେ ଆପଣଙ୍କ ଅହର୍ନିଶି ସେବା କରିଚାଲିଛୁଁ । ମହାପ୍ରଭୁଙ୍କ ସୁରକ୍ଷା ଲାଗି ଏହି ପାଇକ ଜାତି ସଦା ତତ୍ପର ।

ପାଇକ ବୀରମାନେ ତିନିଭାଗରେ ବିଭକ୍ତ ଥିଲେ । ୧- ପ୍ରହରୀ, ୨- ବାଣୁଆ, ୩- ଢେଙ୍କିଆ । ପ୍ରହରୀମାନେ ଖଣ୍ଡା ବ୍ୟବହାର କରି ଜଗୁଆଳ କାମ କରୁଥିଲେ । ବାଣୁଆମାନେ ଧନୁଶର ବ୍ୟବହାର କରି ଯୁଦ୍ଧ କରୁଥିଲେ । ଢେଙ୍କିଆମାନେ ଠେଙ୍ଗା ଓ ଖଣ୍ଡା ସାହାଯ୍ୟରେ ଯୁଦ୍ଧ କରୁଥିଲେ ।
ଯୁଦ୍ଧ ସମୟରେ ପାଇକମାନେ ତିନିପ୍ରକାରରେ ବିଭକ୍ତ ହେଉଥିଲେ ଯଥା – ପଦାତିକ, ଅଶ୍ୱାରୋହୀ, ଗଜାରୋହୀ । ବୀର ପାଇକ ଯୋଦ୍ଧାଙ୍କ ଅସ୍ତ୍ର ଥିଲା ଖଣ୍ଡା, କଟାରୀ, ଢାଲ, ତରବାରୀ, ଧନୁତୀର, ବର୍ଚ୍ଛା ଓ ବାଟୁଳୀ ଖଡ଼ା । ଏହି ବୀର ପାଇକ ଯୋଦ୍ଧାମାନେ ଦେହରେ ଅଙ୍ଗି, ମୁଣ୍ଡରେ ପଗଡ଼ି ବା ଟୋପି, ମଥାରେ କଲି, ବଡ଼ ବଡ଼ ନିଶ ଓ ଦାଢି ରଖୁଥିଲେ । ଶରୀରରେ ପରିକଛା ମାରି ଲୁଗା ପିନ୍ଧୁଥିଲେ ।

ଯେଉଁ ପାଇକମାନେ ମନ୍ଦିର ସୁରକ୍ଷାରେ ନିୟୋଜିତ ହେଉଥିଲେ ସେମାନଙ୍କୁ ବରନ୍ଦାଜ କୁହାଯାଉଥିଲା । ସେମାନେ ରାଜ୍ୟର ସମସ୍ତ ମଠ ଓ ମନ୍ଦିରର ସୁରକ୍ଷା ଦାୟିତ୍ୱ ବହନ କରୁଥିଲେ । ପାଇକମାନେ ସାହସୀ, ଦୁର୍ଦ୍ଧଶ, ଗଭୀର ଭଗବତପ୍ରେମୀ ତଥା ଦେଶଭକ୍ତ । ଏହି ପାଇକ ବୀର ମାନଙ୍କ ସାହାଯ୍ୟରେ ହିଁ ସୂର୍ଯ୍ୟବଂଶ ଓ ଭୋଇବଂଶ ରାଜାମାନେ ବହୁ ବାର ଅନେକ ରାଜ୍ୟ ଜୟ କରିଥିଲେ । ଏହି ପାଇକବୀର ମାନେ ହିଁ ରାଜା ଖାରବେଳଙ୍କୁ ସମ୍ରାଟ କରାଇବାରେ ସାହାଯ୍ୟ କରିଥିଲେ ।

ଓଡ଼ିଆ ପାଇକ ହେଉଛି ବୀରର ଜାତି ।

ପାଇକ ପୁଅର ଢାଲ ତଲୱାର କଳଙ୍କି ଲାଗିବ ନାହିଁ, ଏବେବି ଜାଗିଛୁ ବୀର ପାଇକ ମୁକ୍ତି ସଙ୍ଗୀତ ଗାଇ ।

ଏହି ମାଆ ମାଟି ଡ଼ାକେ, ଟୋପେ ରକ୍ତ ପଡ଼ିଲେ,  ଏମାଟିରେ ଲକ୍ଷେ କଦମ୍ବ ଫୁଟେ ।

ପାଇକ ପୁଅର ଢାଲ ତଲୱାର କଳଙ୍କି ଲାଗିବ ନାହିଁ, ଏବେବି ଜାଗିଛୁ ବୀର ପାଇକ ମୁକ୍ତି ସଙ୍ଗୀତ ଗାଇ ।

ରାଜାମାନେ ବୀର ପାଇକମାନଙ୍କର କର୍ମ କୁଶଳତାରେ ମୁଗ୍ଧ ହୋଇ ବିଭିନ୍ନ ବୀର ଉପାଧିମାନ ପ୍ରଦାନ କରୁଥିଲେ । ଏଗୁଡ଼ିକ ବୀରତ୍ୱକୁ ସୁଚାଉଥିଲା । ଏହି ଉପାଧିଗୁଡ଼ିକ ହେଲା – ସୁନ୍ଦରରାୟ, ମହାନାୟକ, ମହାରଥି, ମାର୍ଥା, ରଣସିଂହ, ଗୁମାନସିଂହଜେନା, ରାଟ ସିଂହ, କେଦାଳା ସିଂହ, କହଲସିଂହ, ପାଲଟାସିଂହ, ବଳିୟାରସିଂହ, ରାଉତ, ରାଉତରାୟ, ପାତଳାସିଂହ, ପାହାଡ଼ସିଂହ, ସାମନ୍ତରାୟ, ପାଇକରାୟ, ଧଳମାନସିଂହ, ପାଟ୍ଟଶାଣୀ, ଉତରକବାଟ, ପଶ୍ଚିମକବାଟ, ଗଡ଼ନାୟକ, ପ୍ରଧାନ, ଜଗଦ୍ଦେବ ବିଶ୍ୱାଳ, ରଣବିଜୁଳି, ଚହଟରାୟ, ଛୋଟରାୟ, ବଳବନ୍ତରାୟ, ଧଳ, ଛୁଆଳସିଂହ, ବୈରୀଗଞ୍ଜନ, ମାନଧାତା, ରାଏସିଂହ, ସାମନ୍ତସିଂହାର, ସଂଗ୍ରାମସିଂହ, ଅରିସଲ, ଛୁଆଳସିଂହ, ପାହାନ୍ତାସିଂହ ଇତ୍ୟାଦି ।
କାଳକ୍ରମେ କୁଚକ୍ରୀଙ୍କ ଷଡଯନ୍ତ୍ରରେ ଓଡ଼ିଆ ପାଇକମାନେ ବିଭିନ୍ନ କାରଣ ବଶତଃ ବହୁଭାଗରେ ବିଭକ୍ତ ହୋଇଗଲେ ଯଥା – ଓଡ଼ଖଣ୍ଡ ପାଇକ, ଖଣ୍ଡାୟତ, ଚଷା ଖଣ୍ଡାୟତ, କୋଳଥିଆ ଚାଷ ଖଣ୍ଡାୟତ, ମହାନାୟକ, ଶୁଦ୍ରପାଇକ ଖଣ୍ଡାୟତ, ପାଂଚଗଡ଼ ଖଣ୍ଡାୟତ, କୁରୁମ ଚଷା ଖଣ୍ଡାୟତ, ଶାଗୁଆ ଚଷା ଖଣ୍ଡାୟତ ଇତ୍ୟାଦି ବହୁଧା ଭାଗରେ ବିଭକ୍ତ ହେଲେ ।

ଆଜି ବି ଓଡିଶାର ସ୍ୱାଭିମାନୀ, ମହାନାୟକମାନଙ୍କ ତ୍ୟାଗ ଓ ବଳିଦାନର ଚିତ୍ର ପ୍ରତ୍ୟେକ ଓଡିଆ ପ୍ରାଣରେ ଉଦ୍‌ଦ୍ଭାସିତ ହୁଏ । କିନ୍ତୁ ଦୁଃଖର କଥା, ପୃଥିବୀ ଇତିହାସରେ ଓଡିଆ ବୀରସନ୍ତାନମାନଙ୍କ ସ୍ଥାନ କେଉଁଠାରେ ? ଏଭଳି ସତ୍ୟ ଘଟଣା ଗୁଡିକ ଐତିହାସିକମାନଙ୍କ ନଜରକୁ କେବେ ହେଲେ ଆସିପାରିନାହିଁ । ଏମତି କି ସ୍ୱାଧୀନତା ଆନ୍ଦୋଳନରେ ଦମ୍ଭ ଓ ସାହସିକତାର ସହ ବ୍ରିଟିଶ୍ ସରକାର ବିରୁଦ୍ଧରେ ଲଢି ଆସିଥିବା ପ୍ରଚଣ୍ଡ, ପରାକ୍ରମଶାଳୀ ପାଇକମାନଙ୍କ ଶୈାର୍ଯ୍ୟପୂର୍ଣ୍ଣ ବୀରତ୍ୱ କାହାଣୀ ବୋଧହୁଏ ଇତିହାସର କେଉଁ ଅନ୍ଧକାର ଅଧ୍ୟାୟ ମଧ୍ୟରେ ଲୁଚିଯାଇଛି ?

Leave A Reply

Your email address will not be published.