ନୂଆଦିଲ୍ଲୀ: ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଅଟକ ରଖାଯାଇପାରିବ କି ନାହିଁ ଏନେଇ ବୁଧବାର ଦିନ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି।
ବିଚାରପତି ଅରବିନ୍ଦ କୁମାର ଏବଂ ପି.ବି. ଭାରାଲଙ୍କ ଖଣ୍ଡପୀଠ କହିଛନ୍ତି ଯେ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ ଏବଂ କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ କେ.ଏମ୍. ନଟରାଜ ଏହି ମାମଲାରେ ବିଚାର କରିବା ଉଚିତ୍।”ତର୍କ ବିତର୍କ ଏବଂ ଆଇନଗତ ଦିଗ ବ୍ୟତୀତ, କୋର୍ଟର ଜଣେ ଅଧିକାରୀ ଭାବରେ ଏହି ଦିଗପ୍ରତି ଧ୍ୟାନ ଦେବାକୁ କୋର୍ଟ ପରାମର୍ଶ ଦେଇଛନ୍ତି। ରିପୋର୍ଟ ରୁ ତାଙ୍କର ସ୍ବାସ୍ଥ୍ୟ ଭଲ ନାହିଁ ବୋଲି ଜଣାପଡିଥିଲା ଓ ଏଥିରେ କିଛି ବୟସ ସମ୍ବନ୍ଧୀୟ ଏବଂ କିଛି ଅନ୍ୟାନ୍ୟ ସମସ୍ୟା ଅଛି ବୋଲି କୁହା ଯାଇଛି।
ତେବେ ଏହି ସମ୍ପୂର୍ଣ୍ଣ ମାମଲାକୁ ନେଇ ସରକାରଙ୍କ ପୁନଃ ବିଚାରର କୌଣସି ସମ୍ଭାବନା ଅଛି କି ନାହିଁ ସେଥିପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କଠାରୁ ପରାମର୍ଶ ଲୋଡ଼ିବେ ବୋଲି ” ନଟରାଜ କହିଛନ୍ତି।
ୱାଙ୍ଗଚୁକ୍ ଙ୍କ ଉତ୍ତେଜକ ଭାଷଣ ଯୋଗୁଁ ଉତ୍ତେଜନା ସୃଷ୍ଟି ହୋଇ ଗତ ବର୍ଷ ଲେହରେ ହିଂସା ଘଟିଥିଲା ଓ ୱାଙ୍ଗଚୁକ୍ ଏଥିପାଇଁ ଦାୟୀ ବୋଲି ଅତିରିକ୍ତ ସଲିସିଟର ଜେନେରାଲ ଶୁଣାଣି ସମୟରେ କହିଛନ୍ତି। ଏହି ହିଂସାରେ ଚାରି ଜଣଙ୍କର ମୃତ୍ୟୁ ହେବା ସହ ୧୬୧ ଜଣ ଆହତ ହୋଇଥିବା ନେଇ ରିପୋର୍ଟ୍ ରୁ ଜଣାପଡ଼ିଥିଲା। ଯାହାକୁ ନେଇ ପ୍ରାୟ ପାଞ୍ଚ ମାସ ପୂର୍ବରୁ ସେପ୍ଟେମ୍ବର ୨୬, ୨୦୨୫ରେ ତାଙ୍କ ପାଇଁ ଅଟକ ଆଦେଶ ଜାରି କରାଯାଇଥିଲା ଓ ଏହି ଆଦେଶକୁ ଅକ୍ଟୋବର ୩, ୨୦୨୫ ରେ ମଞ୍ଜୁର କରାଯାଇଥିଲା। ଏହି ଆଦେଶକୁ ଚ୍ୟାଲେଞ୍ଜ କରି କୌଣସି ମାମଲା ଦାଖଲ କରାଯାଇନଥିଲା। ଏନେଇ ଗୁରୁବାର କୋର୍ଟରେ ଯୁକ୍ତି ଜାରି ରହିବ ବୋଲି ମଧ୍ୟ କୁହାଯାଇଛି।