ନୂଆଦିଲ୍ଲୀ: ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ ଫାଇନାଲରେ ଭାରତର ବୈଭବ ସୂର୍ଯ୍ୟବଂଶୀ ଐତିହାସିକ ଇନିଂସ ଖେଳିଛନ୍ତି । ଇଂଲଣ୍ଡ ବିପକ୍ଷ ଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ବୈଭବ ୧୭୫ ରନ ସହାୟତାରେ ୪୧୧ ରନ ସଂଗ୍ରହ କରିଛି । ଆୟୂଷ ମାହାତ୍ରେ ୫୩ ଓ ଅଭିଜ୍ଞାନ କୁଣ୍ଡୁ ୪୦ ରନ କରିଥିଲେ । ୧୪ ବର୍ଷୀୟ ବୈଭବ ମାତ୍ର ୮୦ ବଲରେ ୧୭୫ ରନ ସଂଗ୍ରହ କରିଥିଲେ । ସେ ତାଙ୍କ ଇନିଂସରେ ୧୫ ଛକା ଓ ୧୫ ଚୌକା ମାରିଥିଲେ । ୨୪ ବଲରେ ୨୪ ରନ କରିଥିବା ବୈଭବ ପରବର୍ତୀ ୫୬ ବଲରେ ୧୫୧ ରନ ସଂଗ୍ରହ କରି ନେଇଥିଲେ । ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲରେ ଏହା ସର୍ବାଧିକ ବ୍ୟକ୍ତିଗତ ଓ ଦଳଗତ ସ୍କୋର ।
୨୦୨୪ରେ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ସର୍ବାଧିକ ୨୫୩ ରନ କରିଥିଲା । ବୈଭବ ଟୁର୍ଣ୍ଣାମେଂଟରେ ୭ ଇନିଂସରେ ୪୩୯ ରନ ସଂଗ୍ରହ କରି ଆଫଗାନିସ୍ତାନର ଫୈଜଲ ଖାଁଙ୍କୁ ପଛରେ ପକାଇ ଦେଇଛନ୍ତି । ବୈଭବଙ୍କ ପୂର୍ବରୁ ଭାରତର ଉନ୍ମୁକ୍ତ ଚାନ୍ଦ ୨୦୧୨ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୧୧ ରନ କରି ଅପରାଜିତ ରହିଥିଲେ । ଗୋଟିଏ ଇନିଂସରେ ସର୍ବାଧିକ ଛକା ମାରିବା ରେକର୍ଡ ମଧ୍ୟ ବୈଭବ କରିଛନ୍ତି । ଦ୍ରୁତ ଶତକ ହାସଲରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ବୈଭବ ୫୫ ବଲରେ ଏହି ସଫଳତା ହାସଲ କରିଥିବା ବେଳେ ଅଷ୍ଟ୍ରେଲିଆର ୱିଲ ମାଲାଜାକାଜୁତି ୫୧ ବଲରେ ଶତକ ମାରି ଏବେ ବି ଶୀର୍ଷରେ ରହିଛନ୍ତି ।