ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ମା ତାରାତାରିଣୀ ମନ୍ଦିରରେ ଶନିବାର ଦିନ ଦାନ ହୁଣ୍ଡି ଖୋଲାଯିବା ପରେ ସେଥି ମଧ୍ୟରୁ ଏକ ପିଲାର ହାତ ଲେଖା ଚିଠି ମିଳିଥିଲା। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଭକ୍ତମାନଙ୍କୁ ମଧ୍ୟ ଭାବବିହ୍ୱଳ କରି ପକାଇଛି।
ମନ୍ଦିର କର୍ମଚାରୀମାନେ ଦାନ ହୁଣ୍ଡିରୁ ମୁଦ୍ରା, ନୋଟ୍ ଏବଂ ଅନ୍ୟାନ୍ୟ ଦାନ ଜିନିଷ ଖୋଲିବା ପରେ ସେଥିମଧ୍ୟରୁ ଏହି ଚିଠିଟି ମିଳିଥିଲା।
ପିଲାଟିର ଚିଠିରେ ଗଭୀର ଯନ୍ତ୍ରଣା, ଆଶା ଏବଂ ଅଟଳ ବିଶ୍ୱାସ ପ୍ରତିଫଳିତ ହୋଇଥିଲା। ତେବେ ସେହି ଚିଠିରେ ପିଲାର ନାମ କିମ୍ବା କୌଣସି ଯୋଗାଯୋଗ ନଥିଲେ ମଧ୍ୟ ଏହାର କାହାଣୀ ଅତ୍ୟନ୍ତ କଷ୍ଟଦାୟକ ଥିଲା। ପିଲାଟି ଆଶା, ସୁରକ୍ଷା ଏବଂ ସମସ୍ୟାରୁ ମୁକ୍ତି ପାଇଁ ପ୍ରାର୍ଥନା କରିଥିବା ଜଣାପଡ଼ିଛି। ଏଥିରେ ପରିବାରକୁ ଅସୁବିଧାରେ ପକାଇଥିବା ଏକ “ଶତ୍ରୁ” ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏଥିସହିତ ସମସ୍ତ ବାଧାବିଘ୍ନ ଦୂର କରିବା ସହ ମାଙ୍କ ଆଶୀର୍ବାଦ ଲୋଡ଼ିଛି। ତେବେ ପିଲାଟି ନିଜର ଦୁଃଖ ପ୍ରକାଶ କରିବା ସହିତ ଶିକ୍ଷା ଏବଂ ଜ୍ଞାନ ପାଇଁ ମାଙ୍କ ପାଖରେ ପ୍ରାର୍ଥନା କରିବା ସହ ନିଜ ମାଆ, ଜେଜେବାପା ଏବଂ ବଡ଼ ଭାଇଙ୍କ ମଙ୍ଗଳ ପାଇଁ ମଧ୍ୟ ପ୍ରାର୍ଥନା କରିଛି।
ଅପରପକ୍ଷରେ ତିନି ମାସର ବ୍ୟବଧାନ ପରେ ହୁଣ୍ଡି ଖୋଲାଯିବା ବେଳେ ଚିଠିଟି ମିଳିଥିବା ନେଇ ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା କହିଛନ୍ତି। ଏହି ଅବସରରେ ମନ୍ଦିର ଅଧିକାରୀ ଏବଂ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।