ଭୁବନେଶ୍ଵର: ଆସିଲା ରାଜ୍ୟ ବଜେଟ୍ ୨୦୨୬-୨୭ । ବିଧାନସଭାରେ ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତବର୍ଷ ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରାଯାଉଛି । ଗତବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି ।
ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ, ସରକାରୀ କଲେଜ ଏବଂ ବେସରକାରୀ ଅନୁଦାନପ୍ରାପ୍ତ କଲେଜଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ୪ ଶହ ୭୦ କୋଟି ଟଙ୍କାର ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ବ୍ୟତୀତ ଗୁଣାତ୍ମକ ଶିକ୍ଷାର ଆଧୁନିକୀକରଣ ପାଇଁ ୫୦ କୋଟି ଟଙ୍କା ଏବଂ ସରକାରୀ ଏବଂ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ପରୀକ୍ଷାଗାର ପାଇଁ ୨୫ କୋଟି ଟଙ୍କା ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର ।
ବଜେଟ୍ ରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା କରିଛନ୍ତି । ଆର୍ଥିକ ଦୁର୍ବଳ ଝିଅଙ୍କୁ ବିଏ ତଥା ସ୍ନାତକ ପାଇଁ ଏହି ଯୋଜନା କାର୍ଯ୍ୟ କରିବ । ଗରିବ ଝିଅଙ୍କ ନାଁରେ ୨୦ ହଜାର ଟଙ୍କାର ସଞ୍ଚୟ ଉପକରଣ ସୃଷ୍ଟି ହେବ । ସ୍ନାତକ ସମାପ୍ତ ପରେ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ ।
ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ବଞ୍ଚିତ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୨୦ ହଜାର ଟଙ୍କା ଏବଂ ବିଦେଶରେ ସ୍ନାତକୋତ୍ତର ଏବଂ ଡକ୍ଟରାଲ ଅଧ୍ୟୟନ ପାଇଁ ୫୦ ଲକ୍ଷ ଟଙ୍କାର ସୀମା ସହିତ ୫୦ ଜଣ ଅନୁସୂଚିତ ଜାତି/ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ବିଦେଶ ଶିକ୍ଷାବୃତ୍ତି ପ୍ରଦାନ କରାଯିବ ।