ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜ୍ୟ ସରକାର ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି । ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆମ ସରକାର ଉଚ୍ଚ ଶିକ୍ଷା ଭିତ୍ତିଭୂମି ଏବଂ ଗୁଣବତ୍ତାକୁ ସୁଦୃଢ କରିବା ଲାଗି ଧ୍ୟାନ କେନ୍ଦ୍ରିତ ନିବେଶ ଜରିଆରେ କାର୍ଯ୍ୟ କରୁଛନ୍ତି । ରାଜ୍ୟ ବିଶ୍ବବିଦ୍ୟାଳୟ, ସରକାରୀ, କଲେଜ ଏବଂ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଗୁଡିକର ଭିତ୍ତିଭୂମି ବିକାଶ ପାଇଁ ୪୭୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାଇଛି । ଏହା ବ୍ୟତୀତ ଗୁଣାତ୍ମକ ଶିକ୍ଷାର ଆଧୁନିକୀକରଣ ପାଇଁ ୫୦ କୋଟି ଟଙ୍କା ଏବଂ ଅନୁଦାନପ୍ରାପ୍ତ କଲେଜ ଗୁଡିକରେ ପରୀକ୍ଷାଗାର ପାଇଁ ୨୫ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରି କହିଛନ୍ତି, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଏବଂ ଝାରସୁଗୁଡା ଜିଲ୍ଲା ମୁଖ୍ୟାଳୟରେ ୪ଟି ନୂତନ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଯାଉଛୁ । ଏହି ନୂତନ ଅନୁଷ୍ଠାନ ଗୁଡିକ ଏନଇପି-୨୦୨୦ ଅନୁଯାୟୀ ପ୍ରଥମ ଦିନରୁ ସ୍ନାତକୋତ୍ତର ପାଠ୍ୟକ୍ରମରେ ମୌଳିକ ଭାବରେ ଅଭିନବ ଶିକ୍ଷାଦାନ କାର୍ଯ୍ୟାକାରୀ କରିବାର ଅନନ୍ୟ ସୁବିଧା ପାଇପାରିବେ ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୪ଟି ସରକାରୀ ବିଶ୍ବବିଦ୍ୟାଳୟ ରହିଛି, ନୂତନ କରି ଖୋଲିବାକୁ ଯାଉଥିବା ୪ ବିଶ୍ବବିଦ୍ୟାଳୟକୁ ମିଶାଇଲେ ଏହି ସଂଖ୍ୟା ୪୮ରେ ପହଞ୍ଚିବ ।