ଭୁବନେଶ୍ୱର: ଶୁକ୍ରବାର ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ୩ଲକ୍ଷ ୧୦ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଥିବା ବେଳେ ବଜେଟରେ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୩,୧୮୨ କୋଟି ଟଙ୍କା ବ୍ୟବବରାଦ କରାଯାଇଛି । ଏହା ମୋଟ ବଜେଟର ୭. ୫ ପ୍ରତିଶତ ଅଟେ ।
ଗୋପବନ୍ଧୁ ଜନ ଆରୋଗ୍ୟ ଓ ଆୟୁଷ୍ମାନ ପାଇଁ ୪ ହଜାର ୨୭୯ କୋଟି ଟଙ୍କା ଆବଣ୍ଟିତ ହୋଇଛି । ଏହା ସହ ୫ଟି ନୂଆ ମେଡିକାଲ କଲେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଗଜପତି, ମାଲକାନଗିରି, ରାୟଗଡ଼ାରେ ଆୟୁର୍ବେଦିକ ମେଡିକାଲ କଲେଜ । ନୟାଗଡ଼ ଓ ନୂଆପଡ଼ାରେ ହେବ ୨ଟି ହୋମିଓପାଥି କଲେଜ । ୫ ନୂଆ ମେଡିକାଲ କଲେଜ ପାଇଁ ୧୪୦ କୋଟିର ପ୍ରସ୍ତାବ ରହିଛି ।
ସମସ୍ତ ମେଡିକାଲରେ ରକ୍ତଭଣ୍ଡାର ପ୍ରତିଷ୍ଠା ଓ ରକ୍ତଭଣ୍ଡାର ଆଧୁନିକୀ କରଣ ପାଇଁ ଆରମ୍ଭ ହେବ ଅଟଳ ରକ୍ତଦାନ ଅଭିଯାନ । ଏହାସହ ୨ ବର୍ଷରେ ରାଜ୍ୟରେ ୫ ଶହ ପିଜି ସିଟ୍ ବୃଦ୍ଧି କରାଯିବ । ଓଡ଼ିଶା କର୍କଟ ଚିକିତ୍ସା ଯୋଜନାକୁ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନରେ ରୂପାନ୍ତରିତ କରାଯିବ । ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫ ହଜାର IPD ଶଯ୍ୟା ଯୋଡ଼ାଯିବ ।