ଅହମ୍ମଦାବାଦ: ଟି୨୦ ବିଶ୍ୱକପ ସୁପର ଏଇଟରେ ଦକ୍ଷିଣ ଆଫ୍ରିକାଠାରୁ ଭାରତ ଶୋଚନୀୟ ଭାବେ ପରାଜିତ ହେବାକୁ ପ୍ରଶଂସକ ଏବଂ ମ୍ୟାନେଜମେଂଟ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ରିପୋର୍ଟ ମୁତାବକ ଟିମ ମ୍ୟାନେଜମେଂଟ ଖରାପ ଫର୍ମରେ ଥିବା ବ୍ୟାଟ୍ସମ୍ୟାନଙ୍କୁ ଚୂଡାନ୍ତ ଏକାଦଶରୁ ବାଦ ଦେଇପାରେ । କୋଚ ଗୌତମ ଗମ୍ଭୀର, ସହକାରୀ କୋଚ ର୍ୟାନ ଟେନ ଡୋଶ୍ଚେଟ ଓ ସୀତାଂଶୁ କୋଟାକ ଏ ନେଇ ସୂଚନା ମଧ୍ୟ ଦେଇଛନ୍ତି । ଫେବୃୟାରୀ ୨୬ରେ ଭାରତ ତାର ପରବର୍ତୀ ମୁକାବିଲାରେ ଜିମ୍ବାୱେକୁ ଭେଟିବ । ଅଭିଷେକ ଶର୍ମା ୪ଟି ମ୍ୟାଚରେ ୧୫ ଓ ତିଳକ ବର୍ମା ୫ ମ୍ୟାଚରେ ୧୦୭ ରନ କରିଛନ୍ତି । ଫିନିଶର ରିଙ୍କୁ ସିଂ ମଧ୍ୟ ଏ ପର୍ଯ୍ୟନ୍ତ ନିରାଶ କରିଛନ୍ତି ।
୧୮ ମାସ ଧରି ଆମ ଟିମ ଭଲ ପ୍ରଦର୍ଶନ କରି ଆସିଛି । ଏହା ଉପରେ ବିଶ୍ୱାସ ରଖିବୁ ନାଁ ଚୂଡାନ୍ତ ଏକାଦଶରେ ପରିବର୍ତନ କରିବୁ ସେ ନେଇ ଅବଶ୍ୟ ଦ୍ୱନ୍ଦ୍ୱରେ ରହିଛୁ ବୋଲି ଡୋଶ୍ଚେଟ କହିଛନ୍ତି । ସଞ୍ଜୁ ସାମସନଙ୍କ ପରି ଖେଳାଳିଙ୍କୁ ବେଂଚରେ ବସାଇବାକୁ ଆମେ ମଧ୍ୟ ଚାହୁଁନୁ । ବାକି ଥିବା ୨ଟି ମ୍ୟାଚ ଆମ ପାଇଁ କର ବା ମର ସଦୃଶ । ଖୁବ ଶୀଘ୍ର ଏ ନେଇ ବିଚାର ବିମର୍ଶ କରାଯିବ ବୋଲି ସେ କହିଛନ୍ତି । ଧୀମା ବୋଲରଙ୍କ ବିପକ୍ଷରେ ଆମ ବ୍ୟାଟ୍ସମ୍ୟାନ ବିଫଳ ହେଉଛନ୍ତି । ଏହି ତ୍ରୁଟି ମଧ୍ୟ ସୁଧାରିବାକୁ ପଡିବ ବୋଲି ଗମ୍ଭୀର କହିିଛନ୍ତି ।
ଭାରତୀୟ ଟିମ: ଈଶାନ କିଶାନ, ଅଭିଷେକ ଶର୍ମା, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ, ୱାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ, ବରୁଣ ଚକ୍ରବର୍ତି, ଯଶପ୍ରୀତ ବୁମରାହ, ସଞ୍ଜୁ ସାମସନ, ମହମ୍ମଦ ସିରାଜ, କୂଲଦୀପ ଯାଦବ ଓ ଅକ୍ଷର ପଟେଲ ।