ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ସୁପର ଏଇଟର ପ୍ରଥମ ମୁକାବିଲାରେ ଦକ୍ଷିଣ ଆଫ୍ରିକା ନିକଟରୁ ଭାରତ ଶୋଚନୀୟ ଭାବେ ପରାଜିତ ହୋଇଛି । ଦ୍ୱିତୀୟ ମ୍ୟାଚରେ ଜିମ୍ବାୱେକୁ ଭେଟିବ ଭାରତ । ସେମିଫାଇନାଲ ପ୍ରବେଶ ଆଶା ଉଜ୍ଜୀବୀତ ରଖିବାକୁ ହେଲେ ଭାରତକୁ ଏହି ମ୍ୟାଚରେ ବିଜୟ ହାସଲ କରିବା ସହ ରନରେଟ ସୁଧାରିବାକୁ ପଡିବ । ଆନ୍ତର୍ଜାତୀୟ ଟି୨୦ରେ ଜିମ୍ବାୱେ ବିପକ୍ଷରେ ଭାରତର ପଲା ଭାରୀ ରହିଛି । ଉଭୟ ଦେଶ ମଧ୍ୟରେ ଓଭରାଲ ୧୩ଟି ମ୍ୟାଚ ଖେଳାଯାଇଛି । ଭାରତ ୧୦ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଜିମ୍ବାୱେ ୩ଟି ମୁକାବିଲାରେ ବାଜି ମାରିଛି ।
ସେହିପରି ଟି୨୦ ବିଶ୍ୱକପରେ ଉଭୟ ଦେଶ ମଧ୍ୟରେ ଗୋଟିଏ ମ୍ୟାଚ ଖେଳାଯାଇଛି । ଭାରତ ଏହି ମୁକାବିଲାରେ ବିଜୟ ହାସଲ କରିଛି । ୨୦୨୨ରେ ଖେଳା ଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮୬ ରନ କରିଥିଲା । ଜବାବରେ ଜିମ୍ବାୱେ ୧୧୫ ରନ କରି ଅଲଆଉଟ ହୋଇ ଯାଇଥିଲା । ଦୁଇ ଦେଶ ମଧ୍ୟରେ ୨୦୧୦ରେ ପ୍ରଥମ ଟି୨୦ ସିରିଜ ଖେଳା ଯାଇଥିଲା । ଭାରତ ଏଥିରେ କ୍ଲିନ ସୁଇପ କରିଥିଲା ।