ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଅବସରରେ ଆଇସିସି ଖେଳାଳିମାନଙ୍କ ନୂତନ ର୍ୟାଙ୍କିଙ୍ଗ ଜାରୀ କରିଛି । ଏଥିରେ ଭାରତୀୟ ଖେଳାଳିଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି । ଯଶପ୍ରୀତ ବୁମରାହଙ୍କ ର୍ୟାଙ୍କିଙ୍ଗରେ ଉନ୍ନତି ଘଟିଥିବା ବେଳେ ବରୁଣ ଚକ୍ରବର୍ତି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ବୁମରାହ ୭ଟି ସ୍ଥାନ ଉନ୍ନୀତ ହୋଇ ୮ରେ ପଂହଚିଛନ୍ତି । ବୋଲର ର୍ୟାଙ୍କିଙ୍ଗରେ ବରୁଣଙ୍କ ପଛକୁ ଆଫଗାନିସ୍ତାନର ରଶିଦ ଖାଁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଦକ୍ଷିଣ ଆଫ୍ରିକାର କେର୍ଭିନ ୱାଶ ୨୧ ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ରହିଛନ୍ତି । ଖରାପ ପ୍ରଦର୍ଶନ ସତ୍ୱେ ଅଭିଷେକ ଶର୍ମା ପୂର୍ବ ଭଳି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି ।
ଇଂଲଣ୍ଡର ଫିଲ ସଲ୍ଟ ଓ ପାକିସ୍ତାନର ସାହେବଜାଦ ଫରହାନ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଈଶାନ କିଶାନ ୩ଟି ସ୍ଥାନ ଉନ୍ନୀତ ହୋଇ ୫ମରେ ପଂହଚିଛନ୍ତି । ଖରାପ ଫର୍ମରେ ଥିବା ତିଳକ ବର୍ମା ୭ମ ସ୍ଥାନକୁ ଖସି ଆସିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଷଷ୍ଠ ସ୍ଥାନ ବଜାୟ ରଖିଛନ୍ତି । ସୁପର ଏଇଟରେ ଭାରତ ପ୍ରଥମ ମ୍ୟାଚ ଦକ୍ଷିଣ ଆଫ୍ରିକାଠାରୁ ହାରି ବିପଦରେ ପଡିଛି । ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଜିମ୍ବାୱେ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ବିଜୟ ହାସଲ କରିବାକୁ ପଡିବ ।