କୋଲାକାତା: ଚଳିତ ଟି୨୦ ବିଶ୍ୱକପରେ ଭାରତ ତାର ଶେଷ ସୁପର ଏଇଟ ମ୍ୟାଚ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ । ଏହା ଟିମ ଇଣ୍ଡିଆ ପାଇଁ କ୍ୱାର୍ଟର ଫାଇନାଲ ସଦୃଶ ମ୍ୟାଚ । ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କ ବାପାଙ୍କ ଦେହାନ୍ତ ହୋଇଯିବାରୁ ସେ ଗ୍ରେଟର ନୋଏଡା ଯାଇଥିଲେ । ତାଙ୍କ ବାପାଙ୍କ ଅନ୍ତିମ ସଂସ୍କାର ହେବା ପରେ ସେ ପୂନର୍ବାର ଦଳ ସହିତ ଯୋଗ ଦେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ରିପୋର୍ଟ ମୁତାବକ ସେ ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ ପୂର୍ବରୁ କୋଲକାତାରେ ପଂହଚିବେ । ଇତି ମଧ୍ୟରେ ଟିମ ଇଣ୍ଡିଆର ସଦସ୍ୟ କୋଲକାତାରେ ପଂହଚି ସାରିଛନ୍ତିି । ରିଙ୍କୁ ଜିମ୍ବାୱେ ବିପକ୍ଷ ମ୍ୟାଚରେ ଖେଳିପାରି ନ ଥିଲେ ।
ଅବଶ୍ୟ ଚଳିତ ଟି୨୦ ବିଶ୍ୱକପରେ ରିଙ୍କୁଙ୍କ ପ୍ରଦର୍ଶନ ସେତେଟା ସନ୍ତୋଷଜନକ ରହି ନାହିଁ । ସେ ୫ ମ୍ୟାଚରେ ୨୪ ରନ ସଂଗ୍ରହ କରିଛନ୍ତି । ଚଳିତ ବର୍ଷ ସେ ଓଭରାଲ ୧୦ଟି ଟି୨୦ ମ୍ୟାଚ ଖେଳି ୧୧୫ ରନ କରିଛନ୍ତି । ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ୪୪ ରହିଥିଲା । ୱେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ଭାରତ ବିଜୟ ହାସଲ କଲେ ସେମିଫାଇନାଲରେ ପ୍ରବେଶ କରିବ । ଗତ ସଂସ୍କରଣରେ ଭାରତ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ଚାମ୍ପିୟନ ହୋଇଥିଲା ।