ଭୁବନେଶ୍ବର: ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ଆଜିଠୁ ୯ ତାରିଖ ଅର୍ଥାତ୍ ରବିବାର ଓ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଝଡ଼ତୋଫାନ ସମ୍ଭାବନା ରହିଛି ।
ଆସନ୍ତାକାଲି ପାଇଁ ୧୨ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ପୁରୀକୁ ୱାର୍ଣ୍ଣିଂ ଦିଆଯାଇଛି ।
ଗୋଟିଏ କିମ୍ୱା ଦୁଇଟି ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା ଥିବାବେଳେ, ଅନ୍ୟ ୧୮ଟି ଜିଲ୍ଲାର ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ୮ ତାରିଖ ପାଇଁ ୨୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୯ ତାରିଖରେ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି ହୋଇଥିବାବେଳେ, ୧୦ ତାରିଖରେ ପାଗ ଶୁଖିଲା ରହିବ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ ।
ଅନ୍ୟପକ୍ଷରେ ରାଜ୍ୟରେ ଗ୍ରାଷ୍ମପ୍ରବାହ ଜାରି ରହିଥିବାବେଳେ, ଶୁକ୍ରବାର ଲଗାତାର ଦ୍ୱିତୀୟ ଦିନ ପାଇଁ ଝାରସୁଗୁଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ଏଠାରେ ସର୍ବାଧିକ ତାପମାତ୍ରା ୩୯.୬ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ୫ ସ୍ଥାନରେ ୩୭ ଡିଗ୍ରୀ ଟପିଥିଲା ।