ଅହମ୍ମଦାବାଦ:ଟି୨୦ ବିଶ୍ୱକପ ୨୦୨୬ର ଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ସମ୍ମୁଖରେ ୨୫୬ ରନର ବିଜୟ ଲକ୍ଷ୍ୟ ରଖିଛି । ଭାରତର ଟପ ଅର୍ଡର ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଜବରଦସ୍ତ ଫର୍ମରେ ଥିବା ସଞ୍ଜୁ ସାମସନ ୪୬ ବଲରେ ୫ ଚୌକା ଓ ୮ ଛକା ସହାୟତାରେ ୮୯ ରନ କରିଥିଲେ । ଫର୍ମ ନେଇ ସମସ୍ୟାରେ ରହୁଥିବା ଅଭିଷେକ ଶର୍ମା କିନ୍ତୁ ନିରାଶ କରି ନ ଥିଲେ । ସେ ମଧ୍ୟ ୨୧ ବଲରୁ ୫୨ ରନ କରିଥିଲେ । ଅଭିଷେକ ଆଉଟ ହେବା ପରେ ଈଶାନ କିଶାନ ମଧ୍ୟ ୨୫ ବଲରୁ ୫୪ ରନ କରି ଭାରତର ରନ ବଢ଼ାଇବାରେ ଲାଗିଥିଲେ ।
ଏହା ପରେ ନାଟକୀୟ ଢ଼ଙ୍ଗରେ ୩ଟି ୱିକେଟ ହରାଇଥିଲା । ସଞ୍ଜୁ, ଈଶାନ ଓ ସୂର୍ଯ୍ୟକୁମାର ଯାଦବ ପ୍ୟାଭିଲିୟନ ଫେରି ଯାଇଥିଲେ । ସୂର୍ଯ୍ୟକୁମାର ଖାତା ଖୋଲିପାରି ନ ଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା ୧୮ରନ କରି ଆଉଟ ହୋଇଥିବା ବେଳେ ତିଳକ ବର୍ମା ୮ ଓ ଶିବମ ଦୁବେ ୨୬ ରନ(୮ବଲ) କରି ଅପରାଜିତ ରହିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ଜେମ୍ସ ନୀଶମ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ରଚୀନ ରବୀନ୍ଦ୍ର ଓ ମ୍ୟାଟ୍ଟ ହେନେରୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ନ୍ୟୁଜିଲାଣ୍ଡ ଅଧିନାୟକ ମିଚେଲ ସାଂଟେନର ଟସ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଭାରତୀୟ ଦଳ ସେମିଫାଇନାଲ ଖେଳିଥିବା ଚୂଡାନ୍ତ ଏକାଦଶରେ କୌଣସି ପରିବର୍ତନ କରି ନାହିଁ । ନ୍ୟୁଜିଲାଣ୍ଡ କୋଲେ ମ୍ୟାକୋନଚିଙ୍କ ସ୍ଥାନରେ ଜ୍ୟାକବ ଡଫିଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରିଛି ।