ଖୋର୍ଦ୍ଧା: ୬୦ ଗ୍ରାମ ସୁନା ଅଳଙ୍କାର ସହ ନଗଦ ୧ ଲକ୍ଷ ୪୪ ହଜାର ଟଙ୍କା ଲୁଟ । ଦୁଇଟି ବାଇକରେ ୩ ତିନି ଜଣ ଲୁଟେରା ଆସି ଲକ୍ଷ ଲକ୍ଷ ଟଙ୍କା ଲୁଟ୍ କରିଛନ୍ତି । ତେବେ ଅଭିନଵ ଢଙ୍ଗରେ ୧୭୦ ଟଙ୍କାର ଲୋଭ ଦେଖାଇ ଲୁଟ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏପରି ଘଟଣା ଘଟିଛି ବାଲୁଗାଁ ଥାନା ଅନ୍ତର୍ଗତ ଇଞ୍ଜନପୁର ଗାଁ ନିକଟରେ ।
ସୁବୁଦ୍ଧିପାଟଣା ଗାଁର ଅଶୋକ ସାହୁ ବାଲୁଗାଁ କାନାରା ବ୍ୟାଙ୍କରୁ ଋଣ ପରିଶୋଧ କରି ବନ୍ଧକ ରଖିଥିବା ୬୦ ଗ୍ରାମର ସୁନା ଅଳଙ୍କାର ଏବଂ ବଳକା ଥିବା ନଗଦ ୧ ଲକ୍ଷ ୪୪ ଟଙ୍କାକୁ ତାଙ୍କ ସ୍କୁଟି ଡ଼ିକିରେ ରଖି ଘରକୁ ଫେରୁଥିଲେ। ସେହି ସମୟରେ ପଛପଟୁ ଏକ ବାଇକ ଚାଳକ ଆସି ତାଙ୍କ ଟଙ୍କା ପଡିଯାଇଛି ବୋଲି କହିଥିଲେ । ଅଶୋକ ପଛକୁ ଦେଖିବାରେ ରାସ୍ତାରେ କିଛି ଟଙ୍କା ପଡିଥିବା ଦେଖିଥିଲେ। ଅଶୋକ ସ୍କୁଟିରେ ଚାବି ଲଗାଇ ଟଙ୍କା ଗୋଟାଇବାକୁ ଯାଇଥିଲେ। ତେବେ ରାସ୍ତାରେ ପଡିଥିବା ୧୭୦ଟଙ୍କା ଅଶୋକ ଗୋଟାଉ ଥିବାବେଳେ ଆଉ ଦୁଇଜଣ ଦୁର୍ବୃତ୍ତ ସ୍କୁଟି ପାଖକୁ ଯାଇ ଡ଼ିକି ଖୋଲି ବ୍ୟାଗରେ ଥିବା ସମସ୍ତ ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇ ବାଲୁଗାଁ ଅଭିମୁଖେ ଫେରାର ହୋଇ ଯାଇଥିଲେ।