ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ମାର୍ଚ୍ଚ ୧୫ରେ ନମନ ପୁରସ୍କାର ସମାରୋହର ଆୟୋଜନ କରିବ । ଏଥିରେ ୨୦୨୪-୨୫ରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ସମ୍ମାନୀତ କରାଯିବ । ଏହା ବ୍ୟତୀତ ୩ଜଣ ମହାନ ଖେଳାଳିଙ୍କୁ ଲାଇଫ ଟାଇମ ଆଚିଭମେଂଟ ଆୱାର୍ଡ ପ୍ରଦାନ କରାଯିବ । ସେମାନେ ହେଲେ ରୋଜର ବିନ୍ନୀ, ରାହୁଲ ଡ୍ରାଭିଡ ଓ ମହିଳା କ୍ରିକେଟର ମିଥାଲୀ ରାଜ । ପୁରସ୍କାର ସହ ସେମାନଙ୍କୁ ୨୫ ଲକ୍ଷ ଲେଖାଏଁ ରାଶି ପ୍ରଦାନ କରାଯିବ । ବିନ୍ନୀ ୧୯୮୩ରେ ପ୍ରଥମ ଥର ପାଇଁ ବିଶ୍ୱକପ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ । ସେ ଟୁର୍ଣ୍ଣାମେଂଟରେ ସର୍ବାଧିକ ୱିକେଟ ହାସଲ କରି ଭାରତ ବିଜୟର ମୂଖ୍ୟ କାରଣ ସାଜିଥିଲେ । ବିନ୍ନୀ କୋଚିଂ, ଚୟନ କମିଟି ଓ ପ୍ରଶାସନିକ ଭୂମିକା ମଧ୍ୟ ସୁଚାରୁରୂପେ ତୁଲାଇଛନ୍ତି । ୨୦୦୦ରେ ବିଶ୍ୱକପ ଜିତିଥିବା ୧୯ ବର୍ଷରୁ କମ ଭାରତୀୟ ଦଳର କୋଚ ଥିଲେ ।
୨୦୧୨ରୁ ୧୬ ପର୍ଯ୍ୟନ୍ତ ଚୟନ କମିଟି ସଦସ୍ୟ ଏବଂ ୨୦୨୨ରୁ ୨୦୨୫ ପର୍ଯ୍ୟନ୍ତ ବିସିସିଆଇ ଅଧ୍ୟକ୍ଷ କାର୍ଯ୍ୟ ତୁଲାଇଥିଲେ । ଦି ୱାଲ ଭାବେ ପରିଚିତ ଡ୍ରାଭିଡ ଆନ୍ତର୍ଜାତୀୟ କ୍ରିକେଟରେ ୨୪୦୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି । ଅବସର ପରେ ସେ ଏନସିଏ ମୂଖ୍ୟ ଦାୟିତ୍ୱରେ ରହିଥିଲେ । ୨୦୧୮ରେ ୧୯ ବର୍ଷରୁ କମ ଟିମ ଏବଂ ୨୦୨୪ରେ ସିନିୟର ଟିମ ତାଙ୍କ କୋଚଂରେ ବିଶ୍ୱକପ ଜିତିଥିଲେ । ମିଥାଲୀ ରାଜ ଭାରତୀୟ ମହିଳା କ୍ରିକେଟର ଆଗ ଧାଡିର ଖେଳାଳି । ୨୦ ବର୍ଷ କ୍ୟାରିୟରରେ ସେ ଦିିନିକିଆ କ୍ରିକେଟରେ ୭୮୦୫ ରନ କରିଛନ୍ତି । ତାଙ୍କ ଯୋଗୁ ଅନେକ ମହିଳା କ୍ରିକେଟ ପ୍ରତି ଆକୃଷ୍ଟ ହୋଇଥିଲେ ।