Latest Odisha News

BREAKING NEWS

ସଚିନ୍‌ଙ୍କ ସନ୍ୟାସ ପଛର ଅସଲ ରହସ୍ୟ !

ନୂଆଦିଲ୍ଲୀ: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକର କ’ଣ ମଜବୁରିରେ କ୍ରିକେଟକୁ ବାଏ ବାଏ କହିଥିଲେ ? ବିସିସିଆଇର କେଉଁ ଗୋଟିଏ କଥା ମାଷ୍ଟର ବ୍ଲାଷ୍ଟରଙ୍କ ହୋସ୍ ଉଡାଇ ଦେଇଥିଲା ? ୧୩ ବର୍ଷ ପରେ ସାମ୍ନାକୁ ଆସିଛି ଏକ ଏମିତି ସତ୍ୟ, ଯାହା କ୍ରିକେଟ ପ୍ରେମୀଙ୍କୁ ସ୍ତବ୍ଧ କରିଦେଇଛି ।

୨୪ ବର୍ଷର ଲମ୍ବା କ୍ୟାରିୟର… ଶହେଟି ଶତକର ମାଲିକ… ଏବଂ କୋଟି କୋଟି ପ୍ରଶଂସକଙ୍କ ହୃଦୟର ସ୍ପନ୍ଦନ। ସଚିନ୍ ତେନ୍ଦୁଲକର ୨୦୧୩ରେ କ୍ରିକେଟରୁ ବିଦାୟ ନେଇଥିଲେ । କିନ୍ତୁ ଏବେ ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ସନ୍ଦୀପ ପାଟିଲ କରିଥିବା ଖୁଲାସା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ପାଟିଲଙ୍କ କହିବା ଅନୁସାରେ, ସଚିନ୍ ନିଜ ଇଚ୍ଛାରେ ନୁହେଁ ବରଂ ଚୟନ କମିଟିର ଚାପ ଯୋଗୁଁ ସନ୍ୟାସ ନେବାକୁ ବାଧ୍ୟ ହୋଇଥିଲେ।

ଘଟଣାଟି ଥିଲା ୨୦୧୨ ମସିହାର । ସଚିନ୍‌ଙ୍କ ବ୍ୟାଟ୍ ସେତେଟା ଗର୍ଜୁନଥିଲା। ୯ଟି ଟେଷ୍ଟରେ ମାତ୍ର ୨୩.୮୦ ହାରରେ ରନ୍ କରିଥିଲେ ମାଷ୍ଟର ବ୍ଲାଷ୍ଟର। ସେପଟେ ଦିନିକିଆରେ ମଧ୍ୟ ଫର୍ମ ଖରାପ ଥିଲା। ସେହି ସମୟରେ ବିସିସିଆଇ ଚୟନ କମିଟି ସଚିନ୍‌ଙ୍କ ବିକଳ୍ପ ଖୋଜିବା ଆରମ୍ଭ କରିଦେଇଥିଲା। ସନ୍ଦୀପ ପାଟିଲ ସେହି ସମୟର ଏକ ଚମକାଇଲା ଭଳି କଥା କହିଛନ୍ତି। ସେ ସିଧାସଳଖ ସଚିନ୍‌ଙ୍କୁ ପଚାରିଥିଲେ “ଆପଣଙ୍କ ଆଗାମୀ ପ୍ଲାନ କ’ଣ ?” ସଚିନ୍ ଆଶ୍ଚର୍ଯ୍ୟ ହୋଇ ପଚାରିଥିଲେ- “କାହିଁକି ?” ପାଟିଲ ଉତ୍ତର ଦେଇଥିଲେ- “କାରଣ ସିଲେକ୍ଟରମାନେ ଏବେ ଆପଣଙ୍କ ବିକଳ୍ପ ଖୋଜୁଛନ୍ତି।” ଏହି କଥା ଶୁଣିବା ପରେ ସଚିନ୍ ସମ୍ପୂର୍ଣ୍ଣ ଶକ୍‌ ହୋଇଯାଇଥିଲେ। ପାଟିଲ୍ ସ୍ପଷ୍ଟ କରିଥିଲେ କି କୌଣସି ଖେଳାଳିଙ୍କୁ ସନ୍ୟାସ ପାଇଁ ବାଧ୍ୟ କରାଯାଇପାରିବ ନାହିଁ, କିନ୍ତୁ ତାଙ୍କୁ ଦଳରୁ ବାହାର କରାଯାଇପାରିବ। ଏହି ଆଲୋଚନାର କିଛି ଦିନ ପରେ ହିଁ ସଚିନ୍ ନିଜର ଅବସର ଘୋଷଣା କରିଥିଲେ ।

ସଚିନ ନିଜର ଶେଷ ଟେଷ୍ଟ ନଭେମ୍ବର ୨୦୧୩ରେ ୱେଷ୍ଟଇଣ୍ଡିଜ୍ ବିରୁଦ୍ଧରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ନିଜ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳିଥିଲେ।ସନ୍ଦୀପ ପାଟିଲ୍ ଦୁଃଖର ସହ କହିଛନ୍ତି ଯେ, ଲୋକେ ତାଙ୍କ କାର୍ଯ୍ୟକାଳକୁ ବୁମ୍ରା, ଅଶ୍ୱିନ କିମ୍ବା ସାମିଙ୍କ ଭଳି ତାରକାଙ୍କୁ ଖୋଜିବା ପାଇଁ ମନେ ରଖନ୍ତି ନାହିଁ, ବରଂ ସଚିନ୍‌ଙ୍କୁ ବିଦା କରିବା ପାଇଁ ଆଜି ବି ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରନ୍ତି।

ତେବେ ପ୍ରଶ୍ନ ଉଠୁଛି, ଯଦି ସେଦିନ ସନ୍ଦୀପ ପାଟିଲ ସଚିନ୍‌ଙ୍କୁ ସେହି କଥା କହିନଥାନ୍ତେ, ତେବେ କ’ଣ ସଚିନ୍ ଆହୁରି କିଛି ବର୍ଷ କ୍ରିକେଟ ମଇଦାନରେ ଦେଖାଯାଇଥାନ୍ତେ ? ଏହି ଖୁଲାସା ଏବେ ସାରା କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଛି ।

Leave A Reply

Your email address will not be published.