ଭୁବନେଶ୍ୱର: ଭୁବନେଶ୍ୱର ପ୍ରିୟଦର୍ଶିନୀ ମାର୍କେଟ୍ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ପରେ ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଅଗ୍ନି ଅଗ୍ନି ନିରାପତ୍ତା ପ୍ରତି ସରକାରଙ୍କ ତରଫରୁ ରହିଥିବା ପ୍ରସ୍ତୁତି ଓ ତ୍ୱରିତ ପ୍ରତିକ୍ରିୟା ବ୍ୟବସ୍ଥା ସଂପର୍କରେ ଆଲୋଚନା କରିଥିଲେ ମୁଖ୍ୟ ଶାସନ ସଚିବ । ଜନସାଧାରଣଙ୍କୁ ଅଗ୍ନି ନିରାପତ୍ତା ପ୍ରସଙ୍ଗରେ ଯଥେଷ୍ଟ ସଚେତନ ଓ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
ଅଗ୍ନି ସୁରକ୍ଷା ସଂପର୍କିତ ନିୟମିତ ଯାଂଚ ସହିତ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ଅଭିଯାନ ଆରମ୍ଭ କରି ଏହାକୁ ବ୍ୟାପକ କରାଯିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ, ହାଉସିଂ ସୋସାଇଟି, ବଡ ବଡ କୋଠା ଆଦି ଅଗ୍ନି ସୁରକ୍ଷା ମାର୍ଗଦର୍ଶିକା ଅନୁପାଳନ କରିବା କଥା, ସେମାନଙ୍କୁ ବୈଧ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ରଖିବାକୁ ପରାମର୍ଶ ଦିଆଯାଇଛି ।
ପ୍ରସ୍ତୁତି ସ୍ୱରୂପ ବିଭିନ୍ନ ପ୍ରତିଷ୍ଠାନମାନେ ନିଜ ନିଜର କର୍ମଚାରୀ ବା ରହିଥିବା ମାନବ ସମ୍ବଳ(ଏଚଆର)ଙ୍କ ମଧ୍ୟରୁ ଅଗ୍ନି ସୁପରଭାଇଜର ନିୟୋଜିତ କରିବେ । ସେମାନଙ୍କୁ ଅଗ୍ନିଶମ ସେବା ଦ୍ୱାରା ପ୍ରଶିକ୍ଷଣ ଦିଆଯିବ । ଏହା ସହିତ ବିଭିନ୍ନ କୋଠାଗୁଡିକରେ ବିଦ୍ୟୁତ୍ ବ୍ୟବସ୍ଥାର ନିୟମିତ ଯାଞ୍ଚକୁ ଗୁରୁତ୍ୱ ଦିଆଯାଇଛି ।
ଜରୁରୀକାଳୀନ ସ୍ଥିତିରେ ଜନସାଧାରଣ ୧୧୨ ହେଲ୍ପଲାଇନ୍ କୁ ତୁରନ୍ତ ଫୋନ୍ କରି ସହାୟତା ନେବାକୁ ଅନୁରୋଧ କରିଛନ୍ତି । ଟିଭି, ରେଡିଓ, ସାମାଜିକ ଗଣମାଧ୍ୟମରେ ଜନ ସଚେତନତା ସୃଷ୍ଟି କରାଯିବ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀଙ୍କ ସହଯୋଗ ନିଆଯିବା ନେଇ ନିର୍ଦ୍ଦେଶ ଓ ପରାମର୍ଶ ଦିଆଯାଇଛି।
ଅଗ୍ନିଶମ ସେବା, ପୂର୍ତ୍ତ ବିଭାଗ, ବିଦ୍ୟୁତ୍ ବିଭାଗ ଓ ସଂପୃକ୍ତ ବିଭାଗଙ୍କ ସମନ୍ୱୟରେ ତୁରନ୍ତ ଏକ ସଦ୍ୟ ମାର୍ଗଦର୍ଶିକା (ଏସଓପି) ପ୍ରସ୍ତୁତି କରିବା ଏବଂ ତଦନୁସାରେ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।