ଭୁବନେଶ୍ୱର: ୧୬ ଏପ୍ରିଲରୁ ୧୫ ମେ, ୨୦୨୬ ପର୍ଯ୍ୟନ୍ତ ସାରା ରାଜ୍ୟରେ ଜନଗଣନା କରାଯିବ । ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି । ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି । ଗାଁରେ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ଜନଗଣନାକାରୀ । ଏଥିରେ ୩୩ଟି ସରଳ ପ୍ରଶ୍ନ ମାଧ୍ୟମରେ ନିଜ ତଥ୍ୟ ନିଜେ ପ୍ରଦାନ କରିପାରିବେ ।
ପ୍ରାଥମିକ ଶିକ୍ଷକଙ୍କୁ ଗଣନାକାରୀ ଭାବେ ନିଯୁକ୍ତ କରାଯିବାର ଯୋଜନା ରହିଥିବାବେଳେ ହାଇସ୍କୁଲର ଶିକ୍ଷକମାନେ ସୁପରଭାଇଜର ଭାବରେ କାର୍ଯ୍ୟ କରିବେ । ଭାରତୀୟ ଜନଗଣନା ଇତିହାସରେ ଏଥର ହେଉଛି ପ୍ରଥମ ଡିଜିଟାଲ ଗଣନା । ଲକ୍ଷେରୁ ଅଧିକ କର୍ମଚାରୀ ସାମିଲ ହେବେ ବୋଲି ଜନଗଣନା ନିର୍ଦ୍ଦେଶକ କହିଛନ୍ତି ।
ଅଧିକାରୀମାନେ କହିଛନ୍ତି ଯେ ଜନଗଣନା କର୍ମଚାରୀମାନେ ଏହି ପର୍ଯ୍ୟାୟରେ ଘର ଚିହ୍ନଟ କରିବା ଏବଂ ପରିବାର ସମ୍ପତ୍ତି ସମ୍ବନ୍ଧୀୟ ମୌଳିକ ସୂଚନା ସଂଗ୍ରହ କରିବା ପାଇଁ ଘର ଘର ବୁଲିବେ । କର୍ତ୍ତୃପକ୍ଷମାନେ ଆଉ ଏକ ବିକଳ୍ପ ମଧ୍ୟ ପ୍ରଦାନ କରିଛନ୍ତି। ଯେଉଁମାନେ ନିଜେ ସେମାନଙ୍କର ବିବରଣୀ ଦାଖଲ କରିବାକୁ ଇଚ୍ଛୁକ ଅଛନ୍ତି ସେମାନେ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ମଧ୍ୟରେ ନିଜେ ନିଜ ତଥ୍ୟ ଦେଇପାରିବେ । ଏହି ୧୫ ଦିନର ସମୟ ଦ୍ୱାର-ଦ୍ୱାର ବୁଲି ଘର ଗଣନା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଉପଲବ୍ଧ ହେବ ।
ପ୍ରଥମ ପର୍ଯ୍ୟାୟ ଘର ଗଣନା ଉପରେ ଧ୍ୟାନ ଦିଆଯିବା ସହିତ ଫେବୃଆରୀ ୨୦୨୭ରେ ଆରମ୍ଭ ହେବାକୁ ଥିବା ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟରେ ବ୍ୟକ୍ତିଗତ ଜନସଂଖ୍ୟାଗତ ବିବରଣୀ ସଂଗ୍ରହ କରିବା ପାଇଁ ଘର ଘର ବୁଲି ଜନଗଣନା କାର୍ଯ୍ୟ ହେବ ।