Latest Odisha News

BREAKING NEWS

ମହାନଦୀ ବନ୍ୟା: ସ୍ଥିତି ନିୟନ୍ତ୍ରଣାଧିନ – ଏସ୍ଆରସି

ଭୁବନେଶ୍ୱର : ମହାନଦୀରେ ବନ୍ୟାର ଆଶଙ୍କା କରାଯାଉଥିବା ବେଳେ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର କହିଛନ୍ତି ।

ଏଥିସହିତ ଲଗାତାର ଭାବେ ଖଇରମାଳ, ବାରମୂଳ ଓ ମୁଣ୍ଡଳି ବ୍ୟାରେଜର ଜଳସ୍ତର ଉପରେ ନଜର ରଖାଯାଇଛି । ଏବେ ମୁଣ୍ଡଳିରେ ପାଖାପାଖି ୬ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି ଏବଂ ଆଜି ରାତି ସାଢେ ଆଠ ସୁଦ୍ଧା ୮ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ ବୋଲି ସୂଚନା ମିଳିଛି ।

ଖାସକରି ଜଗତସିଂହପୁର, କଟକ, ପୁରୀ ଓ ଭଦ୍ରକର ଜିଲ୍ଲାପାଳମାନଙ୍କୁ ସମ୍ଭାବ୍ୟ ବନ୍ୟାସ୍ଥିତିକୁ ନେଇ ସତର୍କ ରହିବା ସହିତ ଓଡ୍ରାଫ ଓ ଏନ୍ଡିଆରଏଫ୍ ଟିମକୁ ଆଲର୍ଟ ରହିବା ପାଇଁ ମଧ୍ୟ କୁହାଯାଇଥିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ବିଷ୍ଣୁପଦ ସେଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏହାସହିତ ମହାନଦୀ ଜଳସ୍ତର ବୃଦ୍ଧି ନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ନଜର ରଖାଯାଉଛି । ଏପଟେ ହୀରାକୁଦ ଡ୍ୟାମକୁ ୪.୫୮ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ଖୋଲାଯାଇଥିବା ୨୫ଟି ଗେଟରେ ପାଖାପାଖି ୪.୮ ଲକ୍ଷ କ୍ୟୁସେକ ଜଳ ନିଷ୍କାସନ ହେଉଛି ।

ବୌଦ୍ଧ ଖଇରମାଳରେ ୭.୩୪ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଆଜି ରାତିରେ ମୁଣ୍ଡଳି ବ୍ୟାରେଜ ଦେଇ ୮ ରୁ ୮.୨୫ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ତେବେ ଆଜି ରାତିପରେ ଜଳ ପ୍ରବାହ କମିବ । ଏଥିସହିତ ହୀରାକୁଦ ଜଳ ଭଣ୍ଡାରରେ ୨୫ରୁ ଆଉ ଅଧିକ ଗେଟ୍ ଖୋଲାଯିବ ନାହିଁ ବୋଲି ମଧ୍ୟ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.