Latest Odisha News

BREAKING NEWS

ମମତାଙ୍କ ଗଡ଼ରେ ମୁସଲିମ୍ ଭୋଟ୍ କାହାର ?

କୋଲକତା: ପଶ୍ଚିମବଙ୍ଗ ରାଜନୀତିର ପାରଦ ଏବେ ଗରମ । ଯେତେବେଳେ ବି ବଙ୍ଗଳା ନିର୍ବାଚନ କଥା ଉଠେ, ସେତେବେଳେ ସବୁଠାରୁ ବଡ଼ ଚର୍ଚ୍ଚା ହୁଏ ‘ମୁସଲିମ୍ ଭୋଟ୍’କୁ ନେଇ । ପ୍ରାୟ ୩ କୋଟିରୁ ଅଧିକ ମୁସଲିମ୍ ଜନସଂଖ୍ୟା ଥିବା ଏହି ରାଜ୍ୟରେ କାହାର ହେବ ପତିଆରା ? କ’ଣ ଏଥର ଦିଦିଙ୍କ ହାତରୁ ଖସିଯିବ କି ଭୋଟ୍ ବ୍ୟାଙ୍କ ? ଓୱେସୀ ଏବଂ ହୁମାୟୁନ କବୀରଙ୍କ ନୂଆ ସମୀକରଣ ବିଜେପି ପାଇଁ ବାଟ ଫିଟାଇବ କି ? ଦେଖନ୍ତୁ ଆମର ଏହି ସ୍ୱତନ୍ତ୍ର ରିପୋର୍ଟ…

ପଶ୍ଚିମବଙ୍ଗର ସତ୍ତା ଦଖଲ ପାଇଁ ମୁସଲିମ୍ ଭୋଟ୍ ସବୁବେଳେ ‘କିଙ୍ଗ୍ ମେକର’ ସାଜିଛି। ୨୦୧୧ ଜନଗଣନା ପରଠାରୁ ରାଜ୍ୟରେ ମୁସଲିମ୍ ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ି ପ୍ରାୟ ୩ କୋଟିରେ ପହଞ୍ଚିଲାଣି । ମୁର୍ଶିଦାବାଦ, ମାଲଦା, ଉତ୍ତର ଦିନାଜପୁର ଏବଂ ଦକ୍ଷିଣ ୨୪ ପ୍ରଗଣା ପରି ଜିଲ୍ଲାରେ ମୁସଲିମ୍ ଭୋଟରଙ୍କ ସଂଖ୍ୟା ନିର୍ଣ୍ଣାୟକ ।

ମୁର୍ଶିଦାବାଦରେ ମୁସଲିମ୍ ୬୬.୩ ପ୍ରତିଶତ ଥିବା ବେଳେ ମାଲଦାରେ ୫୧.୩ ପ୍ରତିଶତ, ଉତ୍ତର ଦିନାଜପୁରରେ ୫୦ ପ୍ରତିଶତ, ବୀରଭୂମରେ ୩୭ପ୍ରତିଶତ ଏବଂ ଦକ୍ଷିଣ ୨୪ ପ୍ରଗଣାରେ ମୁସଲିମ ଭୋଟରଙ୍କ ସଂଖ୍ୟା ୩୫.୫ ପ୍ରତିଶତ ।

ଗତ ବିଧାନସଭା ନିର୍ବାଚନରେ ବିଜେପିର କଡ଼ା ଟକ୍କର ସତ୍ତ୍ୱେ ମମତା ବାନାର୍ଜୀ ପୁଣି ଥରେ କ୍ଷମତାକୁ ଫେରିଥିଲେ। ଏହାର ମୁଖ୍ୟ କାରଣ ଥିଲା ମୁସଲିମ୍ ଭୋଟ୍‌ର ଏକତ୍ରୀକରଣ। CAA ଏବଂ NRC ର ଭୟ ଦେଖାଇ ମମତା ନିଜକୁ ମୁସଲମାନଙ୍କ ‘ତ୍ରାଣକର୍ତ୍ତା’ ଭାବେ ଉଭା କରିଛନ୍ତି। ସଚ୍ଚର କମିଟି ରିପୋର୍ଟ ଲାଗୁ କରିବା ହେଉ କିମ୍ବା ଇମାମଙ୍କ ଭତ୍ତା ବଢ଼ାଇବା-ମମତା କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି।

କିନ୍ତୁ ଏଥର ଚିତ୍ର କିଛି ଅଲଗା। ପୂର୍ବତନ ଟିଏମସି ନେତା ହୁମାୟୁନ କବୀର ଏବଂ ଅସାଦୁଦ୍ଦିନ ଓୱେସୀଙ୍କ AIMIM ର ମେଣ୍ଟ ମମତାଙ୍କ ଚିନ୍ତା ବଢ଼ାଇ ଦେଇଛି। ‘ଆମ ଜନତା ଉନ୍ନୟନ ପାର୍ଟି’ ମାଧ୍ୟମରେ ହୁମାୟୁନ କବୀର ୧୦୦ରୁ ଅଧିକ ମୁସଲିମ୍ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି। ସେପଟେ ଟିଏମସି ମାତ୍ର ୪୭ ଜଣ ମୁସଲିମ୍ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିବାରୁ ମୁସଲିମ୍ ସମାଜ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଏଠାରେ ଏକ ବଡ଼ ପ୍ରଶ୍ନ ଉଠୁଛି- କ’ଣ ପଶ୍ଚିମବଙ୍ଗର ମୁସଲମାନ ଭୋଟର ବିହାର କିମ୍ବା ମହାରାଷ୍ଟ୍ର ପରି ନିଜସ୍ୱ ‘ମୁସଲିମ୍ ବିକଳ୍ପ’ ବାଛିବେ ? ବିହାରରେ ଓୱେସୀଙ୍କ ସଫଳତା ଏହି ସଙ୍କେତ ଦେଉଛି ଯେ ଯଦି ଭୋଟ୍ ବିଭାଜନ ହୁଏ, ତେବେ ଏହାର ସିଧାସଳଖ ଫାଇଦା ବିଜେପିକୁ ମିଳିପାରେ।

ବଙ୍ଗଳାର ମୁସଲିମ୍ ରାଜନୀତିରେ ଏବେ ଏକ ନୂଆ ପରିବର୍ତ୍ତନର ପବନ ବହୁଛି। ୧୫ ବର୍ଷର ଶାସନ ବିରୋଧରେ ଥିବା ଅସନ୍ତୋଷ ଏବଂ ମୁସଲିମ୍ ଚେହେରାଙ୍କ ଅଭ୍ୟୁଦୟ ମମତାଙ୍କ ପାଇଁ ଏକ ବଡ଼ ଆହ୍ୱାନ। ଯଦି ମୁସଲିମ୍ ଭୋଟ୍ ଦୁଇ ଭାଗ ହୁଏ, ତେବେ ବଙ୍ଗଳା ସିଂହାସନରୁ ମମତା ହଟିବା ଆଶଙ୍କା ବଢ଼ିବା ।

Leave A Reply

Your email address will not be published.