ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ଉପରକୁ ଗୁଳିକାଣ୍ଡ ଘଟଣାରେ ନୂଆ ଖୁଲାସା ହୋଇଛି। ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଚାରିଜଣ ସଦସ୍ୟଙ୍କୁ ଗିରଫ କରି ପୁଲିସ ପଚରାଉଚରା କରିବା ସମୟରେ ସେମାନେ ଖୁଲାସା କରିଛନ୍ତି ଯେ, ତାଙ୍କ ଟାର୍ଗେଟରେ ଟାଇଗର ଶ୍ରଫ ନ ଥିଲେ, ବରଂ ପ୍ରଥମ ଟାର୍ଗେଟ ଅଭିନେତା ସଲମାନ ଖାନ ଥିଲେ । ଏହା ପୂର୍ବରୁ ସଲମାନଙ୍କ ଘର ବାହାରେ ଗୁଳି ଚଳାଇବାକୁ ଯୋଜନା କରୁଥିଲେ କିନ୍ତୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବାରୁ ସେମାନେ ତାଙ୍କ ଯୋଜନା କାର୍ଯ୍ୟକାରୀ କରିପାରି ନଥିଲେ।
ଏହି ଖୁଲାସା ପରେ ମୁମ୍ବାଇ ପୋଲିସ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ବାନ୍ଦ୍ରା ପୋଲିସ ଷ୍ଟେସନରୁ ଏକ ପାଟ୍ରୋଲିଂ ଭ୍ୟାନ୍ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛି। ରାସ୍ତାର ଉଭୟ ପାର୍ଶ୍ୱରେ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।
ପୋଲିସ ସୂତ୍ର ଅନୁଯାୟୀ, ଅଭିଯୁକ୍ତମାନେ ସଲମାନ ଖାନଙ୍କ ପାଖରେ ସହଜରେ ପହଞ୍ଚି ନ ପାରିବାରୁ ଟାଇଗର ଶ୍ରଫଙ୍କୁ ଟାର୍ଗେଟ କରିବାକୁ ନିଷ୍ପତ୍ତି ନେଇଥିଲେ। ଟାଇଗର ଶ୍ରଫଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଅଭିଯୁକ୍ତମାନେ ସୋସିଆଲ ମିଡ଼ିଆର ସହାୟତା ନେଇଥିଲେ । ଟାଇଗର ଏବଂ ତାଙ୍କ ପ୍ରଶଂସକଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଥିବା ରିଲ୍ସ ଓ ପୋଷ୍ଟ ମାଧ୍ୟମରେ ଅଭିଯୁକ୍ତମାନେ ତାଙ୍କ ଗତିବିଧି ଏବଂ ପୋଲିସ ସୁରକ୍ଷା ସମ୍ପର୍କିତ ସୂଚନା ପାଇଥିଲେ । ସେଇଥିରୁ ସେମାନେ ଜାଣିବାକୁ ପାଇଥିଲେ ଯେ, ଅଭିନେତା ପ୍ରତି ରବିବାର ଜୁହୁର ପୁଷ୍ପା ନରସୀ ଗ୍ରାଉଣ୍ଡରେ ଫୁଟବଲ୍ ଖେଳନ୍ତି। ଏହି ସମୟ ମଧ୍ୟରେ, ତାଙ୍କ ସହିତ କୌଣସି ପୋଲିସ ସୁରକ୍ଷା ନାହିଁ।
ଯେତେବେଳେ ଅଭିଯୁକ୍ତ ବିଷ୍ନୋଇଙ୍କ ଘନିଷ୍ଠ ସହଯୋଗୀ ଅମିତ ପଣ୍ଡିତଙ୍କୁ ଜଣାଇଥିଲେ ଯେ, ସଲମାନ ଖାନଙ୍କୁ ଟାର୍ଗେଟ କରିବା କଷ୍ଟକର। ସେତେବେଳେ ଗ୍ୟାଙ୍ଗ ଟାଇଗର ଶ୍ରଫଙ୍କୁ ଟାର୍ଗେଟ କରିବାକୁ ଯୋଜନା କରିଥିଲା। ଅମିତ ପଣ୍ଡିତ ନିର୍ଦ୍ଦେଶ ପରେ ଦୁଇ ସୁଟର ପିସ୍ତଲ ଧରି ଜୁହୁ ଫୁଟବଲ୍ ଗ୍ରାଉଣ୍ଡରେ ପହଞ୍ଚିଥିଲେ। ସେମାନେ କିଛି ସମୟ ପାଇଁ ଟାଇଗରଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଅଭିନେତାଙ୍କ ଗାଡ଼ି ଗ୍ରାଉଣ୍ଡ ଗେଟ୍ ବାହାରକୁ ବାହାରିବା ମାତ୍ରେ ଗୁଳିଚାଳକମାନେ ଗୁଳି ଚଳାଇଥିଲେ।
ପୋଲିସ ଅନୁଯାୟୀ, ଟାଇଗର ଶ୍ରଫ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଥିଲେ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ, ଆକ୍ରମଣ କାରୀମାନେ ସିଧାସଳଖ ଅଭିନେତାଙ୍କୁ ଟାର୍ଗେଟ କରିବାକୁ ଚାହୁଁଥିଲେ। ଘଟଣାରେ ମୋଟ ତିନି ଜଣ ସାମିଲ ଥିଲେ। ଦୁଇଜଣ ସୁଟର ଏବଂ ତୃତୀୟ ଅଭିଯୁକ୍ତ ଖସିଯିବା ପାଇଁ ବାଇକ୍ ସହିତ ଅପେକ୍ଷା କରିଥିଲା।
ମୁମ୍ବାଇ ପୋଲିସ ସୋମବାର ରାଜସ୍ଥାନର କୋଟାରୁ ଏହି ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନେ ହେଲେ ଫୁଲ ସିଂହ ଏବଂ ରେହାନ ଅନସାରୀ, ହ୍ରିତିକ୍ କୁମାର।ଅଭିଯୁକ୍ତ ମାନେ ସଲମାନ ଖାନଙ୍କ ସହ ଅମିତାଭ ବଚ୍ଚନ, ଆମିର ଖାନ ଏବଂ ଅକ୍ଷୟ କୁମାରଙ୍କ ଘରେ ମଧ୍ୟ ରେକି କରିଥିବା ସୂଚନା ମିଳିଛି ।

