ନୂଆଦିଲ୍ଲୀ: ଆଇପିଏଲର ୧୯ତମ ସଂସ୍କରଣର ରୋମାଂଚ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏକ ରିପୋର୍ଟ ଅନୁସାରେ ସାଉଥ ଅଷ୍ଟ୍ରେଲିଆ କ୍ରିକେଟ ଆସୋସିଏଶନ ଆଇପିଏଲକୁ ଆୟୋଜନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛି । ଆଡିଲେଡ ଓଭାଲର ଚେୟାରମ୍ୟାନ ଜେମୀ ବ୍ରିଗେନ୍ସ ଓ ଏସଏସିଏ ଭାରତୀୟ ବୋର୍ଡ ସହିତ ଯୋଗାଯୋଗ କରିଛନ୍ତି । ଅବଶ୍ୟ ବିସିସିଆଇ ମ୍ୟାଚ ଆୟୋଜନ ହେବା ନେଇ କୌଣସି ସୂଚନା ଦେଇ ନାହି । ଏପରିକି ଅଳ୍ପ କିଛି ମ୍ୟାଚ ଆୟୋଜନ ନେଇ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଯଦି କିଛି ସମ୍ଭବପର ନ ହୁଏ ତେବେ ବିଗ ବ୍ୟାଶ ଲିଗର ଏକ ମ୍ୟାଚ ଭାରତରେ ଏବଂ ଆଇପିଏଲର ଏକ ମୁକାବିଲା ଅଷ୍ଟ୍ରେଲିଆରେ ଆୟୋଜିତ ହୋଇପାରେ ।
ସମ୍ପୂର୍ଣ୍ଣ ନିଷ୍ପତି ଏବେ ବିସିସିଆଇ ହାତରେ ରହିଛି । ଆଇପିଏଲ ପ୍ରତି ଦର୍ଶକଙ୍କ ବିଶେଷ ଆଗ୍ରହ ରହିଥିବାରୁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି । ଏହା ମାଧ୍ୟମରେ ଆଇପିଏଲର ଆନ୍ତର୍ଜାତୀୟ ବିସ୍ତାର ମଧ୍ୟ ହେବ ବୋଲି ଆଶା କରାଯାଉଛି । ୨୦୦୯ରେ ଲୋକସଭା ନିର୍ବାଚନ ଯୋଗୁ ଦକ୍ଷିଣ ଆଫ୍ରିକାରେ ସମ୍ପୂର୍ଣ୍ଣ ଆଇପିଏଲ ଖେଳା ଯାଇଥିଲା । ୨୦୧୪ର ପ୍ରଥମ ପର୍ଯ୍ୟାୟ ଓ ୨୦୨୦ରେ ୟୁଏଇରେ ଆଇପିଏଲ ଆୟୋଜିତ ହୋଇଥିଲା । ୨୦୨୧ରେ ଦ୍ୱିତୀୟ ପର୍ଯ୍ୟାୟ ଆଇପିଏଲ ମୁକାବିଲା ମଧ୍ୟ ଏଠାରେ ଆୟୋଜିତ ହୋଇଥିଲା ।