ନୂଆଦିଲ୍ଲୀ: ନ୍ୟାଶନାଲ ଆଂଟି ଡୋପିଂ ଏଜେନ୍ସି (ନାଡା) ଭାରତୀୟ କ୍ରିକେଟର ଅଭିଷେକ ଶର୍ମା ଓ ଅକ୍ଷର ପଟେଲଙ୍କୁ ରେଜିଷ୍ଟର୍ଡ ଟେଷ୍ଟିଂ ପୁଲରେ ସାମିଲ କରିଛି । ଆରଟିପିରେ ୩୪୮ ଖେଳାଳିଙ୍କୁ ନୂତନ ତାଲିକାରେ ସାମିଲ କରାଯାଇଛି । ଶ୍ରେୟାଶ ଆୟାର ଏବଂ ମହିଳା କ୍ରିକେଟର ସ୍ମୃତି ମାନ୍ଧାନାଙ୍କୁ ମଧ୍ୟ ଏଥିରେ ରଖାଯାଇଛି । ତାଲିକାଭୁକ୍ତ ସମସ୍ତ ଖେଳାଳି ସେମାନେ କେଉଁଠାରେ ରହୁଛନ୍ତି ନିୟମିତ ଭାବେ ସୂଚନା ଦେବେ । ପ୍ରତ୍ୟେକ ଦିନ ଏକ ନିଶ୍ଚିତ ସମୟରେ ପରୀକ୍ଷଣ ପାଇଁ ଉପଲବ୍ଧ ହେବେ ।
ଶୁଭମନ ଗିଲ, ଯଶସ୍ୱୀ ଜୈସୱାଲ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ, ଯଶପ୍ରୀତ ବୁମରାହ, କେଏଲ ରାହୁଲ, ଅର୍ଶଦୀପ ସିଂ ଓ ତିଳକ ବର୍ମାଙ୍କ ସମେତ ମହିଳା କ୍ରିକେଟର ଦୀପ୍ତିି ଶର୍ମା, ଶେଫାଳୀ ବର୍ମା ଓ ରେଣୁକା ସିଂ ଠାକୁର ମଧ୍ୟ ପୂର୍ବରୁ ରହିଛନ୍ତି । ତୀରନ୍ଦାଜ ଦୀପିକା କୁମାରୀ, ରାକେଶ କୁମାର ଓ ଶୀତଲ ଦେବୀ ନାଡା ତାଲିକାରେ ରହିଛନ୍ତି । ବ୍ୟାଡମିଂଟନର ୮, ବକ୍ସିଂର ୨୨ ଓ କୁସ୍ତୀର ୩୧ ଖେଳାଳିଙ୍କ ସମେତ ହକିର ମନପ୍ରୀତ ସିଂ, ହରମନପ୍ରୀତ ସିଂ, ଅମିତ ରୋହୀଦାସ, ହାର୍ଦ୍ଦିକ ସିଂ, ସଲୀମା ଟେଟେ, ସବିତା ପୂନିଆ ଓ ନବନୀତ କୌରଙ୍କ ନାମ ରହିଛି । ଯଦି ଜଣେ ଖେଳାଳି ପରୀକ୍ଷଣ ପାଇଁ ଉପଲବ୍ଧ ନ ରହିବେ ଏବଂ ୩ଥର କେଉଁଠାରେ ରହୁଛନ୍ତି ଠିକ ଭାବେ ନ ଜଣାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।