Latest Odisha News

BREAKING NEWS

କଂଗ୍ରେସ ନେତା ପବନ ଖେରାଙ୍କୁ ଝଟକା; ଟ୍ରାଞ୍ଜିଟ୍ ଜାମିନକୁ ସ୍ଥଗିତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ନେତା ପବନ ଖେରାଙ୍କୁ ଆଜି ଏକ ବଡ଼ ଝଟକା ଲାଗିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପତ୍ନୀଙ୍କ ବିରୋଧରେ ଏକାଧିକ ପାସପୋର୍ଟ ରଖିବାର ଅଭିଯୋଗ ଆଣିଥିଲେ ସେ। ଉକ୍ତ ଘଟଣାକୁ ନେଇ ତାଙ୍କ ବିରୋଧରେ ଦାୟର ଏକ ଏଫଆଇଆର ମାମଲାରେ ତାଙ୍କୁ ଦିଆଯାଇଥିବା ଏକ ସପ୍ତାହର ଟ୍ରାଞ୍ଜିଟ୍ ଜାମିନକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି।

ରିପୋର୍ଟ ଅନୁଯାୟୀ, ସୁପ୍ରିମକୋର୍ଟର ବିଚାରପତି ଜେ.କେ. ମାହେଶ୍ୱରୀ ଏବଂ ଅତୁଲ ଏସ. ଚାନ୍ଦୁରକରଙ୍କ ଖଣ୍ଡପୀଠ ଖେରାଙ୍କୁ ଏକ ନୋଟିସ ଜାରି କରିଛନ୍ତି। ଯେଉଁଥିରେ ତିନି ସପ୍ତାହ ମଧ୍ୟରେ ଜବାବ ମଗାଯାଇଛି। ତେଲେଙ୍ଗାନା ହାଇକୋର୍ଟ ପକ୍ଷରୁ ତାଙ୍କୁ ଦିଆଯାଇଥିବା ଆଗୁଆ ଜାମିନ ସ୍ଥଗିତ ରଖିବାକୁ ଆସାମ ସରକାରଙ୍କ ଦ୍ୱାରା ଦାୟର ଆବେଦନର ଜବାବରେ ସୁପ୍ରିମକୋର୍ଟ ଖେରାଙ୍କୁ ଏହି ନୋଟିସ ଜାରି କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୧୦ରେ ତେଲେଙ୍ଗାନା ହାଇକୋର୍ଟ ଖେରାଙ୍କୁ ଏକ ସପ୍ତାହର ଟ୍ରାଞ୍ଜିଟ୍ ଜାମିନ ପ୍ରଦାନ କରିଥିଲେ। ଏହା ପରେ ଆସାମ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ପବନ ଖେରା ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ହିମନ୍ତ ଏବଂ ତାଙ୍କ ପତ୍ନୀଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ସେ ଦାବି କରିଥିଲେ ଯେ ହିମନ୍ତଙ୍କ ପତ୍ନୀଙ୍କ ପାଖରେ ତିନୋଟି ଭିନ୍ନ ଦେଶର ପାସପୋର୍ଟ ରହିଛି। ଯାହା ପରେ ଆସାମ ମୁଖ୍ୟମନ୍ତ୍ରୀ ଏହି ଅଭିଯୋଗଗୁଡ଼ିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଥିଲେ।

 

Leave A Reply

Your email address will not be published.